ଆପ୍ ର ଦାବି: ପଟ ପରିବର୍ତ୍ତନ କରିବାକୁ ଚାରି ବିଧାୟକଙ୍କୁ ବିଜେପିର ୨୦ କୋଟି ଲେଖାଏଁ ଅଫର୍ | News Room Odisha

ଆପ୍ ର ଦାବି: ପଟ ପରିବର୍ତ୍ତନ କରିବାକୁ ଚାରି ବିଧାୟକଙ୍କୁ ବିଜେପିର ୨୦ କୋଟି ଲେଖାଏଁ ଅଫର୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ବୁଧବାର ଦାବି କରିଛି ଯେ ସେମାନଙ୍କ ଚାରିଜଣ ବିଧାୟକଙ୍କୁ ବିଜେପି ଟଙ୍କାର ପ୍ରଲୋଭନ ଦେଖାଇ ଦଳ ଛାଡ଼ିବାକୁ ପ୍ରସ୍ତାବ ଦେଇଛି । ଏପରି ନକଲେ ସେମାନଙ୍କୁ ମିଥ୍ୟା ମାମଲା, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସାମ୍ନା କରିବାକୁ ପଡ଼ିବ ବୋଲି ଧମକ ଦିଆଯାଇଛି ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ବିଧାୟକ – ଅଜୟ ଦତ୍ତ, ସଞ୍ଜୀବ ଝା, ସୋମନାଥ ଭାରତୀ ଏବଂ କୁଲଦୀପଙ୍କ ସହ ବିଜେପି ନେତାମାନେ ଯୋଗାଯୋଗ କରିଛନ୍ତି ।

ସିଂହ କହିଛନ୍ତି, “ଯଦି ସେମାନେ ଦଳ (ବିଜେପି) ରେ ଯୋଗ ଦିଅନ୍ତି, ତେବେ ସେମାନଙ୍କୁ ପ୍ରତ୍ୟେକ ୨୦ କୋଟି ଟଙ୍କା ଏବଂ ଯଦି ଅନ୍ୟ ବିଧାୟକମାନଙ୍କୁ ସାଙ୍ଗରେ ଆଣନ୍ତି ତେବେ ୨୫ କୋଟି ଟଙ୍କା ଲେଖାଏଁ ଦିଆଯିବ ବୋଲି ଏହି ଚାରି ବିଧାୟକଙ୍କୁ ବିଜେପି ପ୍ରସ୍ତାବ ଦେଇଛି।

ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ କହିଛନ୍ତି ଯେ ସେମାନେ (ବିଜେପି ନେତା) ଆମ ବିଧାୟକମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ବିଜେପିରେ ଯୋଗଦେବା ପ୍ରସ୍ତାବକୁ ଗ୍ରହଣ ନକରନ୍ତି ତେବେ ମନୀଷ ସିସୋଦିଆଙ୍କ ଭଳି ସେମାନଙ୍କୁ ମଧ୍ୟ ମିଥ୍ୟା ମାମଲା, ସିବିଆଇ ଏବଂ ଇଡି (ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ)ର ସାମ୍ନା କରିବାକୁ ପଡିବ ।

ସିଂହ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍ ବିଧାୟକଙ୍କୁ ଯେକୌଣସି ମତେ ବିଜେପିକୁ ଆଣିବାକୁ ଏବଂ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୋଗାଯୋଗ କରିଥିବା ୪ ଜଣ ଆପ୍ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।