ଆପର ଆଶଙ୍କା: ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଗିରଫ କରିବ ଇଡି | News Room Odisha

ଆପର ଆଶଙ୍କା: ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଗିରଫ କରିବ ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ ଜାରି କରିଛି ଇଡି। ତେବେ ସେହି ଦିନ ଇଡି କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆପ୍ ।

ଆପ୍ ଅଭିଯୋଗ କରିଛି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ବରିଷ୍ଠ ନେତାମାନଙ୍କୁ ଜେଲରେ ଭର୍ତ୍ତି କରି ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ କେଜ୍ରିୱାଲଙ୍କୁ ସମନ୍ ଜାରି କରାଯାଇଛି ।
ସୂତ୍ରରୁ ପ୍ରକାଶ ନଭେମ୍ବର ୨ ପୂର୍ବାହ୍ନ ୧୧ଟାରେ ତଦନ୍ତକାରୀ ସଂସ୍ଥାର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବା ପରେ ଇଡି ତାଙ୍କ ବୟାନ ରେକର୍ଡ କରିବ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ କରିଛି । ଏପ୍ରିଲରେ ସିବିଆଇ ତାଙ୍କୁ ଜେରା କରିଥିଲା।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଛନ୍ତି, ବିଜେପି ଏପରି ଚାଲ୍ ଦ୍ବାରା ଆପକୁ ଟାର୍ଗେଟ୍ କରୁଛି । କାରଣ ବିଜେପି ଜାଣିଛି ଯେ ନିର୍ବାଚନରେ କେଜ୍ରିୱାଲଙ୍କୁ ହରାଇ ହେବ ନାହିଁ।

ସେ କହିଛନ୍ତି, “ଖବର ରହିଛି ଯେ କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ଗିରଫ କରାଯିବ। ଯଦି ତାଙ୍କୁ ଗିରଫ କରାଯାଏ, ତେବେ ଏହା ପଛର କାରଣ ଦୁର୍ନୀତି ହେବ ନାହିଁ (ଅଭିଯୋଗ) କିନ୍ତୁ ବିଜେପି ବିରୋଧରେ କହିବା ଏହାର କାରଣ ହେବ।

ଅତିଶୀ କହିଛନ୍ତି, “ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏବଂ ଏମସିଡି ନିର୍ବାଚନରେ ମଧ୍ୟ ଆପ୍ ଦୁଇଥର ବିଜେପିକୁ ହରାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଡରୁଛନ୍ତି। ନିର୍ବାଚନରେ ଆପକୁ ପରାସ୍ତ କରିପାରିବ ନାହିଁ ବୋଲି ବିଜେପି ଜାଣିଛି।

ମନୀଷ ସିସୋଦିଆ, ସଞ୍ଜୟ ସିଂହ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଆପ୍ ର ଶୀର୍ଷ ନେତୃତ୍ୱକୁ ଗିରଫ କରି ବିଜେପି ଆପକୁ ଧ୍ୱଂସ କରିବାକୁ ଚାହୁଁଛି ବୋଲି ଅତିଶୀ ଅଭିଯୋଗ କରିଛନ୍ତି ।

ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ମିଳିଛି ।

ଅତିଶୀ କହିଛନ୍ତି ଯେ କେଜ୍ରିୱାଲ ଗିରଫ ହେବା ପରେ ବିଜେପି ସିବିଆଇ ଓ ଇଡି ଲଗାଇ ବିରୋଧୀ ମେଣ୍ଟ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ’ (ଇଣ୍ଡିଆ) ଏବଂ ଏହାର ମୁଖ୍ୟମନ୍ତ୍ରୀ ମାନଙ୍କୁ ଟାର୍ଗେଟ କରିବ।