ପ୍ରଧାନମନ୍ତ୍ରୀଙ୍କୁ 'ନୀଚ' କହିଥିବା ଆପର ଗୁଜରାଟ ମୁଖ୍ୟଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ  | News Room Odisha

ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ କହିଥିବା ଆପର ଗୁଜରାଟ ମୁଖ୍ୟଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ ଆମ୍ ଆଦମୀ ପାର୍ଟି (ଆପ୍)ର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ଅଟକ ରଖିଛି । ଏହି ମାମଲାରେ ସେ ଆଜି ସମନ ଅନୁସାରେ ଜାତୀୟ ମହିଳା କମିଶନଙ୍କ ସମ୍ମୁଖରେ ହାଜର ହୋଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ମୋଦୀଙ୍କ ଉପରେ ଗୋପାଳ ଇଟାଲିଆଙ୍କ ଏହି ବିବାଦୀୟ ମନ୍ତବ୍ୟ ଭିଡିଓ ଭାଇରାଲ ହେବା ପରେ ବିଜେପି ଲଗାତାର ଏହି ପ୍ରସଙ୍ଗରେ ଆପକୁ ଟାର୍ଗେଟ କରିଆସିଛି। ଇଟାଲିଆଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ଏହାପୂର୍ବରୁ ଆଜି ଗୋପାଳ ଇଟାଲିଆ ଟ୍ବିଟ୍ କରି କହିଥିଲେ ଯେ – ଜାତୀୟ ମହିଳା କମିଶନର ମୁଖ୍ୟ ମୋତେ ଜେଲ୍ ଧମକ ଦେଉଛନ୍ତି। ଏହି ଟୁଇଟକୁ ରିଟ୍ୱିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ କରିଛନ୍ତି – ପୂରା ବିଜେପି ଗୋପାଳ ଇଟାଲିଆଙ୍କ ପଛରେ କାହିଁକି ପଡ଼ିଛି ?

ଗୋପାଳ ଇଟାଲିଆ ଟ୍ୱିଟ୍ କରି କହିଥିଲେ ଯେ ଜାତୀୟ ମହିଳା କମିଶନ ମୋତେ ଜେଲରେ ପୂରାଇବାକୁ ଧମକ ଦେଉଛନ୍ତି। ଜେଲ୍ ଛଡ଼ା ମୋଦୀ ସରକାର ପଟେଲ ସମ୍ପ୍ରଦାୟକୁ ଆଉ କଣ ବା ଦେଇପାରିବ ? ବିଜେପି ପଟିଦାର ସମାଜକୁ ଘୃଣା କରେ। ମୁଁ ସର୍ଦ୍ଦାର ପଟେଲଙ୍କ ବଂଶଧର | ତୁମର ଜେଲକୁ ମୋର ଭୟ ନାହିଁ | ମୋତେ ଜେଲରେ ପୁରାଇଦିଅ | ସେମାନେ ପୋଲିସକୁ ବି ଡାକିଛନ୍ତି। ମୋତେ ଧମକ ଦେଉଛନ୍ତି ।”

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ ସେ (ଗୋପାଳ ଇଟାଲିଆ) କୌଣସି ନୋଟିସ ପାଇଥିବା କଥାକୁ ମନା କରି ଦେଇଛନ୍ତି । କିନ୍ତୁ ତାଙ୍କ ଜବାବ ଆଗରୁ ପ୍ରସ୍ତୁତ ହୋଇସାରିଛି, କିନ୍ତୁ ଏପର୍ଯ୍ୟନ୍ତ ସେ ଜବାବ ଦାଖଲ କରି ନାହାଁନ୍ତି। ମୁଁ ପୋଲିସକୁ କହିଛି

ସେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବାକୁ ଚେଷ୍ଟା କରୁଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ନିକଟରେ ବିଜେପି ପକ୍ଷରୁ ଆମ୍ ଆଦମୀ ପାର୍ଟିର ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କ ଏକ ଭିଡିଓ ସେୟାର କରାଯାଇଥିଲା । ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୀଚ’ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାଛଡ଼ା ସେ ହିନ୍ଦୁ ମନ୍ଦିରଗୁଡିକୁ ନିର୍ଯାତନା କେନ୍ଦ୍ର ବୋଲି ଅଭିହିତ କରି ସେଠାକୁ ନ ଯିବାକୁ ମହିଳା ମାନଙ୍କୁ କହିଥିଲେ । ଏନେଇ ବିଜେପି ଇଟାଲିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୀଚ’ କହିବା ଗୁଜରାଟ ଏବଂ ମାଟିର ପୁଅଙ୍କ ପ୍ରତି ଅସମ୍ମାନ ବୋଲି ବିଜେପି କହିଥିଲା ।