ଆପ୍ ଆରମ୍ଭ କଲା 'ଡିଗ୍ରୀ ଦେଖାଅ ଅଭିଯାନ' | News Room Odisha

ଆପ୍ ଆରମ୍ଭ କଲା ‘ଡିଗ୍ରୀ ଦେଖାଅ ଅଭିଯାନ’

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ଆରମ୍ଭ କରିଛି ‘ଡିଗ୍ରୀ ଦେଖାଅ କ୍ୟାମ୍ପେନ’ । ଏହି ଅଭିଯାନ ଅନୁଯାୟୀ ଦଳର ନେତାମାନେ ପ୍ରତିଦିନ ଲୋକଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ବାଣ୍ଟିବେ।

ନିକଟରେ ଗୁଜରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ର ୨୦୧୬ ନିର୍ଦ୍ଦେଶକୁ ରଦ୍ଦ କରି ଦେଇଥିଲେ । ସିଆଇସି ତାଙ୍କ ଆଦେଶରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ କହିଥିଲେ । ହେଲେ ସିଆଇସିଙ୍କ ଏହି ଆଦେଶ ବିରୋଧରେ ଗୁଜରାଟ ବିଶ୍ଵବିଦ୍ୟାଳୟ ହାଇକୋର୍ଟ ଯାଇଥିଲା । ଗୁଜରାଟ ହାଇକୋର୍ଟ ସିଆଇସିଙ୍କ ଉକ୍ତ ଆଦେଶକୁ ରଦ୍ଦ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସାର୍ବଜନୀନ କରାଯିବା ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହି ମାମଲାରେ ଆବେଦନକାରୀ କେଜ୍ରିୱାଲଙ୍କ ଉପରେ ହାଇକୋର୍ଟ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ।

ସେବେଠାରୁ ଆଇଆଇଟି ଶିକ୍ଷାପ୍ରାପ୍ତ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ କେଜ୍ରିୱାଲ୍ ଏବଂ ତାଙ୍କ ଦଳ ପୁଣି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ।

ଏହି ଅଭିଯାନର ଶୁଭାରମ୍ଭ କରି ଦଳର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ତାଙ୍କ ସ୍ନାତକ ଡିଗ୍ରୀ ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଦୁଇଟି ମାଷ୍ଟର ଡିଗ୍ରୀ ପ୍ରଦର୍ଶନ କରିଛନ୍ତି ।

ଗଣମାଧ୍ୟମକୁ ନିଜର ଡିଗ୍ରୀ ଦେଖାଇ ଅତିଶୀ କହିଛନ୍ତି ଯେ ଆଜିଠାରୁ ପ୍ରତି ଦିନ ଆପର ଜଣେ ନେତା ଦେଶ ଆଗରେ ନିଜ ଡିଗ୍ରୀ ଦେଖାଇବେ।

ସେ ଦେଶର ସମସ୍ତ ରାଜନୈତିକ ନେତାଙ୍କୁ ମଧ୍ୟ ସେମାନଙ୍କ ଡିଗ୍ରୀ ଲୋକଙ୍କୁ ଦେଖାଇବାକୁ ଅପିଲ କରିଛନ୍ତି । ଯାହା ଫଳରେ ନାଗରିକମାନେ ସେମାନଙ୍କ ତଥା ଦେଶ ପାଇଁ ନିଷ୍ପତ୍ତି ନେଉଥିବା ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିପାରିବେ।