ଟମାଟୋ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ଆପ୍ ସାଂସଦ | News Room Odisha

ଟମାଟୋ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ଯୋଗୁଁ ସାଧାରଣ ଲୋକଙ୍କ ଚଳିବା କଷ୍ଟକର ହୋଇପଡିଛି | ବିଶେଷକରି ଟମାଟୋ ଦର ଲୋକଙ୍କୁ କନ୍ଦାଉଛି । ସମ୍ପ୍ରତି ଟମାଟୋ କିଲୋଗ୍ରାମ ପିଛା ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର‌‌ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ଗୁପ୍ତା ଆଜି ସଂସଦରେ ନିଆରା ପ୍ରତିବାଦ କରିଛନ୍ତି । ଗୁପ୍ତା ଟମାଟୋ ମାଳ ପିନ୍ଧି ସଂସଦରେ ପହଞ୍ଚିଥିଲେ। ତେବେ ତାଙ୍କୁ ଏଭଳି ଦେଖି ରାଜ୍ୟସଭା ଅଧ୍ୟକ୍ଷ ଜୟଦୀପ ଧନଖର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଆପ୍ ସାଂସଦ ଟମାଟୋ ମାଳ ପିନ୍ଧି ଗୃହକୁ ଆସିବା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜୟଦୀପ ଧନଖର ବିରକ୍ତି ପ୍ରକାଶ କରି କହିଥିଲେ, “ସବୁ କଥାର ସୀମା ଅଛି। ମୁଁ ଏହି ବିଷୟରେ ଗୃହର ବିରୋଧୀ ଦଳ ନେତାଙ୍କ ସହ ତା ହେବା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଅଧ୍ୟକ୍ଷ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ସୁଶୀଲ କୁମାର ଗୁପ୍ତା ଟମାଟୋ ମାଳ ପିନ୍ଧି ନିଜର ଫଟୋ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, ‘ସଂସଦଠାରୁ ୧୦୦ ମିଟର ଦୂରରେ ମଧ୍ୟ ଟମାଟୋ କିଣିବା ପାଇଁ ଲମ୍ବା ଲାଇନ ଲାଗିଛି। ଗତ କିଛି ଦିନ ହେବ ଆମେ ସଂସଦରେ ମୋଦୀ ଜୀଙ୍କୁ ଖୋଜୁଛୁ, କିନ୍ତୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ଜଣାପଡ଼ୁ ନାହିଁ।”

ଆପ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଟ୍ୱିଟରରେ ଲେଖିଛନ୍ତି, ତେବେ ସଂସଦରେ ଗରିବଙ୍କୁ ବାଧୁଥିବା ଦରବୃଦ୍ଧି ପ୍ରସଙ୍ଗ ଉଠାଇବା ମଧ୍ୟ କ’ଣ ଅପରାଧ ? ବିଜେପି ଲୋକମାନେ ସୁନା ମାଳ ପିନ୍ଧି ଆସିଲେ କିଛି ଆପତ୍ତି ନାହିଁ। ଆପ୍ ସାଂସଦ ସୁଶୀଲ କୁମାର ଗୁପ୍ତା ‘ଟମାଟୋ’ ମାଳ ପିନ୍ଧି ଗଲେ କାହିଁକି ଏତେ ଆପତ୍ତି?

ଟମାଟୋ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ଦଳ କେନ୍ଦ୍ର ସରକାରକୁ ଘେରିଛନ୍ତି ।