ଆପର ସଞ୍ଜୟ ସିଂହ ବି ରାଜ୍ୟସଭାରୁ ନିଲମ୍ବିତ, ଏପର୍ଯ୍ୟନ୍ତ ୨୪ ସାଂସଦ ସସପେଣ୍ଡ୍ | News Room Odisha

ଆପର ସଞ୍ଜୟ ସିଂହ ବି ରାଜ୍ୟସଭାରୁ ନିଲମ୍ବିତ, ଏପର୍ଯ୍ୟନ୍ତ ୨୪ ସାଂସଦ ସସପେଣ୍ଡ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ ଧାରା ଜାରି ରହିଛି । ଗତକାଲି ୧୯ ରାଜ୍ୟସଭା ସାଂସଦଙ୍କ ପରେ ଆଜି ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏଥିମଧ୍ୟରେ ରାଜ୍ୟସଭାରୁ ୨୦ ଜଣ ଏବଂ ଲୋକସଭାରୁ ଚାରିଜଣ ସାଂସଦ ରହିଛନ୍ତି । ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। ସେ ଗତକାଲି ଅଧ୍ୟକ୍ଷଙ୍କ ଚେୟାର ଆଡ଼କୁ କାଗଜ ଫିଙ୍ଗିଥିଲେ।

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ କହିଛନ୍ତି, “ସାଂସଦମାନଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଭାରୀ ମନରେ ନିଆଯାଇଥିଲା, ସେମାନେ ଅଧ୍ୟକ୍ଷଙ୍କ ଅନୁରୋଧକୁ ଅଣଦେଖା କରୁଥିଲେ। କୋଭିଡ ସଂକ୍ରମଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁସ୍ଥ ହେବା ପରେ ଏବଂ ସଂସଦକୁ ଫେରିବା ପରେ ସରକାର ଦରବୃଦ୍ଧି ଓ ଜିଏସଟି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ଯେଉଁ ସଦସ୍ୟମାନେ ଗୃହକାର୍ଯ୍ୟରେ ଭାଗ ନେଉ ନାହାଁନ୍ତି, ସେମାନଙ୍କୁ ନିଲମ୍ବିତ କରିବା ପାଇଁ ଗୃହରେ ନିଷ୍ପତ୍ତି ନିଆଯାଇଛି । ଆମେ କହିବାକୁ ଚାହୁଁଛୁ ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ମୁଦ୍ରାସ୍ଫୀତି କମ୍ ରହିଛି। ବିରୋଧୀ ଆଲୋଚନା ଠାରୁ ଦୂରେଇ ଯାଉଛନ୍ତି ବୋଲି ଗୋୟଲ ପାଲଟା ଅଭିଯୋଗ କରିଛନ୍ତି ।