ମୋଦୀ ବିରୋଧୀ ପୋଷ୍ଟର ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଆପର ଟାର୍ଗେଟ, କହିଲା ଚରମରେ ପହଞ୍ଚିଲାଣି ଏକଛତ୍ରବାଦ ଶାସନ | News Room Odisha

ମୋଦୀ ବିରୋଧୀ ପୋଷ୍ଟର ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଆପର ଟାର୍ଗେଟ, କହିଲା ଚରମରେ ପହଞ୍ଚିଲାଣି ଏକଛତ୍ରବାଦ ଶାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ମାମଲାରେ ପୋଲିସ ଆକ୍ସନ ନେଇ ଆମ୍ ଆଦମୀ ପାର୍ଟି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି।

ଆମ୍ ଆଦମୀ ପାର୍ଟି ଟ୍ବିଟ୍ କରି ଲେଖିଛି, ‘ମୋଦୀ ସରକାରଙ୍କ ଏକଛତ୍ରବାଦୀ ଶାସନ ଚରମରେ ପହଞ୍ଚିଲାଣି’।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପୋଷ୍ଟର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କାନ୍ଥ ଓ ଖମ୍ବରେ ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିରେ ଲେଖାଥିଲା – ‘ମୋଦୀ ହଟାଓ, ଦେଶ ବଚାଓ’।

ଦିଲ୍ଲୀ ସ୍ପେଶାଲ କମିଶନର ଦୀପେନ୍ଦ୍ର ପାଠକଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି। ଡିଡିୟୁ ମାର୍ଗରେ ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରୁ ଆସୁଥିବା ଏକ ଭ୍ୟାନ୍ ସହ ପୋଷ୍ଟର ଜବତ କରାଯାଇଛି ।

ଏହି ଘଟଣାରେ ଆମ୍ ଆଦମୀ ପାର୍ଟି ପ୍ରତିକ୍ରିୟା ରଖିଛି । ଏହାଛଡ଼ା ଦଳ ସେହି ପୋଷ୍ଟର ମଧ୍ୟ ସେୟାର କରିଛି, ଯାହାକୁ ନେଇ ପୋଲିସ ୧୦୦ଟି ମାମଲା ରୁଜୁ କରିଛି ।

ଦଳ ଟ୍ବିଟ୍ କରି କହିଛି “ମୋଦୀ ସରକାରଙ୍କ ଏକଛତ୍ରବାଦୀ ଶାସନ ଚରମରେ ପହଞ୍ଚିଛି। ଏହି ପୋଷ୍ଟରରେ ଏମିତି କ’ଣ ଆପତ୍ତିଜନକ ରହିଛି ଯେ ମୋଦୀ ଜୀ ଏହାକୁ ଲଗାଇବା ନେଇ ୧୦୦ଟି ଏଫ୍ଆଇଆର୍ ରୁଜୁ କରିଛନ୍ତି? ପ୍ରଧାନମନ୍ତ୍ରୀ ମୋଦୀ, ଆପଣ ହୁଏତ ଜାଣି ନାହାଁନ୍ତି, କିନ୍ତୁ ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏକ ପୋଷ୍ଟରକୁ ଏତେ ଭୟ ! କାହିଁକି?”

ପୋଲିସର ସୂଚନାନୁସାରେ, ଦୁଇଟି ପ୍ରିଣ୍ଟିଂ ପ୍ରେସ କମ୍ପାନୀକୁ ପଚାଶ ହଜାର ଏଭଳି ପୋଷ୍ଟର ଛାପିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କମ୍ପାନୀଗୁଡିକ ସହିତ ଜଡିତ ଲୋକମାନେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଏହିପରି ଅନେକ ପୋଷ୍ଟର ଲଗାଇଥିଲେ | ପୋଷ୍ଟରରେ ପ୍ରେସର ନାମ ନଥିବାରୁ ଦୁଇ ପ୍ରେସ ମାଲିକମାନଙ୍କୁ ଗିରଫ କରାଯାଇଛି।