ବିଜେପି ସାଂସଦଙ୍କ ଚ୍ୟାଲେଞ୍ଜ ଗ୍ରହଣ କଲେ ଦିଲ୍ଲୀ ଜଳ ବୋର୍ଡ ଅଧିକାରୀ, ଯମୁନା ପାଣିରେ ଗାଧୋଇଲେ | News Room Odisha

ବିଜେପି ସାଂସଦଙ୍କ ଚ୍ୟାଲେଞ୍ଜ ଗ୍ରହଣ କଲେ ଦିଲ୍ଲୀ ଜଳ ବୋର୍ଡ ଅଧିକାରୀ, ଯମୁନା ପାଣିରେ ଗାଧୋଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ବୋର୍ଡର ଯେଉଁ ଅଧିକାରୀଙ୍କ ସହ ବିଜେପି ସାଂସଦ ପ୍ରବେଶ ବର୍ମା ଦୁର୍ବ୍ୟବହାର କରିଥିଲେ, ଆଜି ଉକ୍ତ ଅଧିକାରୀ ତାଙ୍କ ‘ଜଳ’ ପରୀକ୍ଷା ଦେଇଛନ୍ତି। ଦିଲ୍ଲୀ ଜଳ ବୋର୍ଡର ନିର୍ଦ୍ଦେଶକ ସଞ୍ଜୟ ଶର୍ମା ରବିବାର ଯମୁନା ପାଣିରେ ସ୍ନାନ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଯମୁନାର ଜଳ ନିର୍ମଳ, ବିଷାକ୍ତ ନୁହେଁ। ଦୁଇ ଦିନ ତଳେ ବିଜେପି ସାଂସଦ ସଞ୍ଜୟ ଶର୍ମାଙ୍କୁ ଭର୍ତ୍ସନା କରି ଯମୁନା ପାଣିରେ ଗାଧୋଇବାକୁ ଚ୍ୟାଲେଞ୍ଜ କରିଥିଲେ।

ଯମୁନା ପାଣିରେ ଗାଧୋଇବା ପରେ ସଞ୍ଜୟ ଶର୍ମା କହିଛନ୍ତି ଯେ ଜଳର ବିଓଡି (ବାୟୋକେମିକାଲ୍ ଅକ୍ସିଜେନ ଡିମାଣ୍ଡ) ସ୍ତର ୧୨-୨୩ ରହିଛି | ଟିଏସ୍ଏସ୍ (ଟକ୍ସିକ୍ ଶକ୍ ସିଣ୍ଡ୍ରୋମ୍) ୨୦ ରୁ କମ୍ ଥିବାବେଳେ ଫସଫେଟ୍ ୦.୧ ଏବଂ ଡିସଲଭଡ୍ ଅକ୍ସିଜେନ ୭.୦ ରୁ ଅଧିକ | ଯମୁନା ନଦୀର ଜଳ ପରିଷ୍କାର । ଲୋକମାନେ ଏଥିରେ ବିନା କୁଣ୍ଠାରେ ବୁଡ଼ ପକାଇ ପାରିବେ ବୋଲି ସେ କହିଛନ୍ତି |

ଦୁଇ ଦିନ ପୂର୍ବେ ବିଜେପି ସାଂସଦ ପ୍ରବେଶ ବର୍ମା ତାଙ୍କୁ ଯମୁନା ପାଣିରେ ଗାଧୋଇବାକୁ ଚ୍ୟାଲେଞ୍ଜ କରି ଗାଳିଗୁଲଜ କରିଥିଲେ। ଏନେଇ ସଞ୍ଜୟ ଶର୍ମା ପୋଲିସରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ କହିଥିଲେ ଯେ ଅକ୍ଟୋବର ୨୮ରେ ସେ ଓଖଲା ବ୍ୟାରେଜ କାଳିନ୍ଦୀ କୁଞ୍ଜରେ ଡ୍ୟୁଟିରେ ଥିଲେ । ସେ ଯମୁନାରେ ଆଣ୍ଟି-ଫୋମିଙ୍ଗ୍ କେମିକାଲ ସ୍ପ୍ରେ କରୁଥିଲେ। ଏହି ସମୟରେ ପ୍ରବେଶ ବର୍ମା ଏବଂ ତେଜିନ୍ଦର ବଗା ସେଠାରେ ପହଞ୍ଚି ତାଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର କରିବାରେ ଲାଗିଥିଲେ। ସଞ୍ଜୟ ଶର୍ମା ଦିଲ୍ଲୀ ଜଳ ବୋର୍ଡରେ ଟ୍ରିଟମେଣ୍ଟ କ୍ବାଲିଟି କଣ୍ଟ୍ରୋଲ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଦୁଇ ଦିନ ତଳେ ଛଠ୍ ପୂଜା ପାଇଁ ଯମୁନା ନଦୀର ସ୍ଥିତି ଯାଞ୍ଚ୍ କରିବାକୁ ଆସିଥିବା ବିଜେପି ସାଂସଦ ପ୍ରବେଶ ବର୍ମା ଦିଲ୍ଲୀ ଜଳ ବୋର୍ଡ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ଅଧିକାରୀଙ୍କୁ ଭର୍ତ୍ସନା କରି କହିଥିଲେ ଯେ, “ଆଠ ବର୍ଷ ହେଲା ତୁ କ’ଣ କରୁଥିଲୁ? ଏଠାରେ ତୁମେ ଲୋକମାନଙ୍କୁ ମାରୁଛ, ଗତ ଆଠ ବର୍ଷ ମଧ୍ୟରେ ଯମୁନାକୁ ସଫା କରିପାରିଲ ନାହିଁ । ଜଳବୋର୍ଡ ଅଧିକାରୀ ସଞ୍ଜୟ ଶର୍ମା ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଶୁଣିନଥିଲେ । ଅଧିକାରୀଙ୍କୁ ସାଂସଦ ଏଭଳି ଅସଦାଚରଣର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।