ଉମେଶ ପାଲ ହତ୍ୟା ମାମଲା: ଆଉ ଜଣେ ସୁଟର୍ ପୋଲିସ ଏନକାଉଣ୍ଟରରେ ନିହତ | News Room Odisha

ଉମେଶ ପାଲ ହତ୍ୟା ମାମଲା: ଆଉ ଜଣେ ସୁଟର୍ ପୋଲିସ ଏନକାଉଣ୍ଟରରେ ନିହତ

ପ୍ରୟାଗରାଜ: ଉମେଶ ପାଲ ହତ୍ୟା ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ତଥା ସୁଟର୍ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ନିହତ ସୁଟର ହେଉଛି ବିଜୟ ଓରଫ୍ ଉସମାନ । ଉମେଶ ପାଲଙ୍କ ଉପରେ ଉସମାନ ହିଁ ପ୍ରଥମ ଗୁଳି ଚଳାଇଥିଲା । ତା’ ଉପରେ ପ୍ରୟାଗରାଜ ପୋଲିସ ୫୦ ହଜାର ପୁରସ୍କାର ଘୋଷଣା କରିଥିଲା । ଆଜି ସକାଳେ ପ୍ରୟାଗରାଜର ପ୍ରୟାଗରାଜର କୌନ୍ଧିୟାରା ଅଞ୍ଚଳରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ଉସମାନର ମୃତ୍ୟୁ ହୋଇଛି | ଏହି ଏନକାଉଣ୍ଟରରେ ନରେନ୍ଦ୍ର ନାମକ ଜଣେ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି।

ଏହି ଏନକାଉଣ୍ଟର ପରେ ପୋଲିସ ଉସମାନକୁ ପ୍ରୟାଗର ସ୍ବରୂପରାଣୀ ନେହେରୁ ଡାକ୍ତରଖାନାକୁ ନେଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

କିଛି ଦିନ ତଳେ ଧୁମଙ୍ଗଞ୍ଜ ଅଞ୍ଚଳର ନେହେରୁ ପାର୍କରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ଉମେଶ ପାଲ ହତ୍ୟାର ସମ୍ପୃକ୍ତ ଅରବାଜ ନାମକ ଜଣେ ସୁଟର ମଧ୍ୟ ନିହତ ହୋଇଥିଲା । ସେ ଅତିକ୍ ଅହମ୍ମଦଙ୍କ ପୁଅ ଅସାଦର ଡ୍ରାଇଭର ଥିଲେ।

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୭ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରାଯାଇଥିଲା। ସେ କୋର୍ଟରୁ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।