ଚିନ୍ତା ବଢ଼ାଉଛି କରୋନା, ୧୩୪ ଦିନ ପରେ ସକ୍ରିୟ ମାମଲା ୧୦ ହଜାର ପାର | News Room Odisha

ଚିନ୍ତା ବଢ଼ାଉଛି କରୋନା, ୧୩୪ ଦିନ ପରେ ସକ୍ରିୟ ମାମଲା ୧୦ ହଜାର ପାର

ନୂଆଦିଲ୍ଲୀ: ଦେଶରେ କରୋନାର ପୁଣି ଲେଉଟାଣି ହୋଇଛି । ଗତ କିଛି ଦିନ ଧରି ବଢ଼ି ଚାଲିଛି ଦୈନିକ ସଂକ୍ରମଣ । ସୋମବାର କ୍ରମାଗତ ଷଷ୍ଠ ଦିନ ପାଇଁ ହଜାରେରୁ ଅଧିକ ମାମଲା ରିପୋର୍ଟ ହୋଇଛି। କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସନ୍ଧ୍ୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା କରିବେ।

ଏହି ବୈଠକରେ ମକ୍ ଡ୍ରିଲ୍ ସୂଚନା ମଧ୍ୟ ଦିଆଯାଇପାରେ, କାରଣ ଏପ୍ରିଲ ୧୦-୧୧ରେ ଦେଶବ୍ୟାପୀ ମକ୍ ଡ୍ରିଲ୍ ଯୋଜନା କରାଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ ସୋମବାର ଆଉ ୧,୮୦୫ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ୧୩୪ ଦିନ ପରେ ସକ୍ରିୟ ମାମଲା ସଂଖ୍ୟା ୧୦,୦୦୦ ଟପିଛି । କ୍ରମାଗତ ଷଷ୍ଠ ଦିନ ହଜାରେରୁ ଅଧିକ ମାମଲା ଆସିଛି । ରବିବାର ୧୮୯୦ କରୋନା ମାମଲା ଆସିଥିଲା ଯାହା ଗତ ୧୪୯ ଦିନ ମଧ୍ୟରେ ସର୍ବାଧିକ ଥିଲା ।

ଦୈନିକ ପଜିଟିଭିଟି ହାର ୩.୧୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧.୩୯ ପ୍ରତିଶତ ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ୧୦,୩୦୦କୁ ବୃଦ୍ଧି ପାଇଛି। କୋଭିଡ୍ ଯୋଗୁଁ ଦେଶରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ମୋଟ କୋଭିଡ୍ ମାମଲା ୪.୪୭ କୋଟି (୪,୪୭,୦୫,୯୫୨)କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ସକ୍ରିୟ ସଂକ୍ରମଣ ମୋଟ ମାମଲାର ୦.୦୨ ପ୍ରତିଶତ ଥିବାବେଳେ ଜାତୀୟ କୋଭିଡ ସୁସ୍ଥତା ହାର ୯୮.୭୯ ପ୍ରତିଶତ ରେକର୍ଡ କରାଯାଇଛି।

ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୫ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି।