ଆଉ ନାହାନ୍ତି ରାମାୟଣର ରାବଣ, ହୃଦଘାତରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ | News Room Odisha

ଆଉ ନାହାନ୍ତି ରାମାୟଣର ରାବଣ, ହୃଦଘାତରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଧାରାବାହିକ ରାମାୟଣରେ ଲଙ୍କାଧୀପତି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ପୂର୍ବତନ ସାଂସଦ ଅରବିନ୍ଦ ତ୍ରିବେଦୀ ଆଉ ନାହାଁନ୍ତି । ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ କ୍ୟାରିୟର ଗୁଜୁରାଟୀ ଥିଏଟରରୁ ଆରମ୍ଭ ହୋଇଥିଲା | ଅଭିନେତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ଗୁଜରାଟୀ ସିନେମାର ଏକ ଜଣାଶୁଣା ନାମ ଏବଂ ଗୁଜରାଟୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଲୋକପ୍ରିୟ ହିନ୍ଦୀ ଶୋ’ ‘ରାମାୟଣ’ ସହ ଘରେ ଘରେ ପରିଚିତ ଚେହେରା ପାଲଟିଥିବା ଲଙ୍କେଶ ତଥା ଅରବିନ୍ଦ ତ୍ରିବେଦୀ ପ୍ରାୟ ୩୦୦ ହିନ୍ଦୀ ଏବଂ ଗୁଜୁରାଟୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ସେ ଗୁଜରାଟୀ ଭାଷାରେ ଧାର୍ମିକ ଏବଂ ସାମାଜିକ ଚଳଚ୍ଚିତ୍ର ମାଧ୍ୟମରେ ଗୁଜରାଟୀ ଦର୍ଶକଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। ଗୁଜୁରାଟୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ତ୍ରିବେଦୀ ସାତ ଥର ଶ୍ରେଷ୍ଠ ଅଭିନୟ ଭାବେ ଗୁଜରାଟ ସରକାର ତରଫରୁ ପୁରସ୍କୃତ ହୋଇଥିଲେ। ୨୦୦୨ରେ ତାଙ୍କୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ର କାର୍ଯ୍ୟକାରୀ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା | ଅରବିନ୍ଦ ତ୍ରିବେଦୀ ୨୦ ଜୁଲାଇ ୨୦୦୨ରୁ ୧୬ ଅକ୍ଟୋବର ୨୦୦୩ ପର୍ଯ୍ୟନ୍ତ ସିବିଏଫସି ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।

୧୯୯୧ରେ ଅରବିନ୍ଦ ତ୍ରିବେଦୀ ସାବରକଥା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।