ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ 'ଆଦାନୀ ଗ୍ରୁପ'ର ବ୍ୟାପକ କ୍ଷତି, ଧନୀ ତାଲିକାରେ ଚତୁର୍ଥରୁ ସପ୍ତମକୁ ଖସିଲେ ଗୌତମ ଆଦାନୀ | News Room Odisha

ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ‘ଆଦାନୀ ଗ୍ରୁପ’ର ବ୍ୟାପକ କ୍ଷତି, ଧନୀ ତାଲିକାରେ ଚତୁର୍ଥରୁ ସପ୍ତମକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚର ଖୁଲାସା ପରଠୁ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ‘ଆଦାନୀ ଗ୍ରୁପ’ର କ୍ଷତି ବହୁଗୁଣ ବଢ଼ିଯାଇଛି । କମ୍ପାନୀର ସେୟାର ମୂଲ୍ୟରେ ଭାରି ହ୍ରାସ ରେକର୍ଡ କରାଯାଇଛି । ଏହାର ପ୍ରଭାବ ବିଶ୍ବର ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ପଡ଼ିଛି । ଆଦାନୀ ଏହି ତାଲିକାର ଚତୁର୍ଥରୁ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଫୋର୍ବସ୍ ରିଅଲ୍ ଟାଇମ୍ସ ତାଲିକା ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨୨.୭ ବିଲିୟନ ଡ଼ଲାର ହ୍ରାସ ପାଇଛି । ଏହି କାରଣରୁ ସେ ୯୫.୫ ବିଲିୟନ ଡ଼ଲାର୍ ସମ୍ପତ୍ତି ସହ ଧନୀ ତାଲିକାର ସପ୍ତମ ସ୍ଥାନକୁ ଖସି ଆସିଛନ୍ତି।

ଆଦାନୀ ଗ୍ରୁପର ଏଭଳି କ୍ଷତିର କାରଣ ହେଉଛି ଆମେରିକୀୟ ଅନୁସନ୍ଧାନ ଗ୍ରୁପ୍ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ । ଏହି ରିପୋର୍ଟରେ ଗୌତମ ଆଦାନୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ହୋଇଛି। କମ୍ପାନୀ ବ୍ୟାପକ ଜାଲିଆତିରେ ସଂପୃକ୍ତ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । ତେବେ ଆଦାନୀ ଗ୍ରୁପ୍ ଏହି ରିପୋର୍ଟରେ ହୋଇଥିବା ସବୁ ଦାବି ଖଣ୍ଡନ କରିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଦେଇଛି ଆଦାନୀ ଗ୍ରୁପ୍ ।

ହିଡେନବର୍ଗ ରିସର୍ଚ୍ଚ ହେଉଛି ନାଥନ ଆଣ୍ଡରସନ ନାମକ ଜଣେ ବ୍ୟବସାୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଆମେରିକୀୟ ନିବେଶ କମ୍ପାନୀ | ଏହା ୨୦୧୭ରେ ପ୍ରତିଷ୍ଠିତ ହୋଇଥିଲା | କମ୍ପାନୀ ଫରେନସିକ୍ ଆର୍ଥିକ ଅନୁସନ୍ଧାନରେ ଜଣେ ବିଶେଷଜ୍ଞ ବୋଲି ଦାବି କରେ ଏବଂ ଏଥିରେ ଦଶନ୍ଧିର ଅଭିଜ୍ଞତା ରହିଛି | ଏହି କମ୍ପାନୀ ବର୍ନି ମ୍ୟାଡଫଙ୍କ ପଞ୍ଜି ସ୍କିମର ପର୍ଦ୍ଦାଫାସ୍ କରି ହଇଚଇ ସୃଷ୍ଟି କରିଥିଲା ।