'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' କମିଟିରୁ ଓହରିଲେ ଅଧୀର ରଞ୍ଜନ ଚୌଧୁରୀ | News Room Odisha

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ କମିଟିରୁ ଓହରିଲେ ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ: ଏକା ସଙ୍ଗେ ଲୋକସଭା, ରାଜ୍ୟ ବିଧାନସଭା, ପୌର ଓ ପଞ୍ଚାୟତ ନିର୍ବାଚନ କରିବା ସମ୍ଭାବନା ତର୍ଜମା କରି ଶୀଘ୍ର ସୁପାରିସ କରିବାକୁ ସରକାର ୮ ଜଣିଆ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୃତୃତ୍ବରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାରେ ପୂର୍ବତନ ବିରୋଧୀ ନେତା ଗୁଲାମ ନବୀ ଆଜାଦ ଏବଂ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ ପ୍ରମୁଖ ସଦସ୍ୟ ଅଛନ୍ତି। ତେବେ ଏହି କମିଟିର ସଦସ୍ୟ ହେବାକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମନା କରି ଦେଇଛନ୍ତି।

ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସୁଭାଷ ସି କଶ୍ୟପ, ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ଅଛନ୍ତି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କମିଟିର ବୈଠକରେ ଏକ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିବାବେଳେ ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ହେବେ।

ବିଜ୍ଞପ୍ତିରେ କୁହାଯାଇଛି ଯେ କମିଟି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବ ଏବଂ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନେଇ ଯଥାଶୀଘ୍ର ସୁପାରିସ କରିବ ‌। ତେବେ ରିପୋର୍ଟ ଦାଖଲ କରିବା ପାଇଁ କୌଣସି ସମୟସୀମା ଉଲ୍ଲେଖ କରାଯାଇ ନାହିଁ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧୀନରେ କମିଟି ଗଠନ କରିବା ସରକାରଙ୍କ ନିଷ୍ପତ୍ତି ବିରୋଧୀ ଦଳଙ୍କ ମେଣ୍ଟ ‘ଇଣ୍ଡିଆ’କୁ କେବଳ ଚକିତ କରିନାହିଁ ବରଂ ଦେଶରେ ରାଜନୈତିକ ପାରା ମଧ୍ୟ ବଢ଼ାଇ ଦେଇଛି | ବିରୋଧୀ ଏହି ନିଷ୍ପତ୍ତିକୁ ଦେଶର ସଂଘୀୟ ବ୍ୟବସ୍ଥା ପାଇଁ ବିପଦ ବୋଲି କହିଛନ୍ତି ।

ନିର୍ବାଚନ ଆୟୋଗଙ୍କ ସଂସଦୀୟ ଓ ବିଧାନସଭା ନିର୍ବାଚନ କରିବାର ଅଧିକାର ରହିଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗର ସ୍ଥାନୀୟ ସଂସ୍ଥା ନିର୍ବାଚନ କରନ୍ତି । ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ଅଲଗା ସଂସ୍ଥା। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୟୁ କୁରେସିଙ୍କ କହିଛନ୍ତି, ଲୋକସଭା (୫୪୩ ସାଂସଦ), ବିଧାନସଭା (୪୧୨୦ ବିଧାୟକ) ଏବଂ ପଞ୍ଚାୟତ /ପୌରସଂସ୍ଥା (୩୦ ଲକ୍ଷ ସଦସ୍ୟ) ପାଇଁ ଏକକାଳୀନ ନିର୍ବାଚନ କରିବା ମୂଳ ପ୍ରସ୍ତାବ ଥିଲା । ଏଥିରେ ଦର୍ଶାଯାଇଥିଲା ଯେ ୧୯୫୧-୫୨ ରୁ ୧୯୬୭ ପର୍ଯ୍ୟନ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥିଲା । ପରେ ଏହି ଧାରା ଭାଙ୍ଗି ଯାଇଥିଲା । ବର୍ତ୍ତମାନ ପ୍ରାୟ ପ୍ରତିବର୍ଷ ଏବଂ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଅଛି । ଫଳସ୍ୱରୂପ ବୃହତ ପରିମାଣର ଖର୍ଚ୍ଚ ହେଉଛି | ଏଥିରେ ଦର୍ଶାଯାଇଛି ଯେ ଏହା ଦ୍ବାରା ସୁରକ୍ଷା ବାହିନୀ ଏବଂ ଅନ୍ୟ ନିର୍ବାଚନ ଅଧିକାରୀମାନେ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟରୁ ବଞ୍ଚିତ ହେଉଛନ୍ତି। ବାରମ୍ବାର ମତଦାନ ହେବା ଯୋଗୁଁ ଆଦର୍ଶ ଆଚରଣ ସଂହିତା ଦୀର୍ଘ ସମୟ ଧରି ଲାଗୁ ହେବା ଫଳରେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି କୁହାଯାଇଛି ।