ଏସିଆ କପ୍: ବାଂଲାଦେଶକୁ ୭ ଓ୍ବିକେଟରେ ହରାଇ ସୁପର-୪ରେ ଆଫଗାନିସ୍ତାନ | News Room Odisha

ଏସିଆ କପ୍: ବାଂଲାଦେଶକୁ ୭ ଓ୍ବିକେଟରେ ହରାଇ ସୁପର-୪ରେ ଆଫଗାନିସ୍ତାନ

ଶାରଜା: ଏସିଆ କପ୍ -୨୦୨୨ରେ ଆଫଗାନିସ୍ତାନ ଜୟଯାତ୍ରା ଜାରି ରଖି ସୁପର -୪ ରେ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଶାରଜାରେ ମଙ୍ଗଳବାର ଖେଳାଯାଇଥିବା ଟୁର୍ନାମେଣ୍ଟର ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋସାଡିକ୍ ହୋସେନ୍ ଙ୍କ ଅପରାଜିତ ୪୮ ରନର ଇନିଂସ ସହାୟତାରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଆଫଗାନିସ୍ତାନ ସ୍ପିନ୍ ଯୋଡ଼ି ମୁଜିବ ଉର ରହମାନ ଏବଂ ରସିଦ ଖାନ ଯାଦୁକରୀ ପ୍ରଦର୍ଶନ ସହ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ୧୨୮ ରନର ବିଜୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୧୮.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଥିଲା।

ଦଳ ପକ୍ଷରୁ ନଜିବୁଲ୍ଲା ଜାଦ୍ରାନ୍ ୬ ଛକା ଏବଂ ୧ ଚୌକା ସହାୟତାରେ କେବଳ ୧୭ଟି ବଲରେ ୪୩ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଇବ୍ରାହିମ ଜାଦ୍ରାନ ୪ଟି ଚୌକା ସହାୟତାରେ ୪୧ ବଲରେ ଅପରାଜିତ ୪୨ ରନ୍ କରିଥିଲେ। ଏ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୯ ରନ୍ ଭାଗିଦାରୀ କରି ଆଫଗାନିସ୍ତାନର ବିଜୟ ସୁନିଶ୍ଚିତ କରିଥିଲେ ।ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଏହା କ୍ରମାଗତ ଦ୍ବିତୀୟ ବିଜୟ ହୋଇଥିବା ବେଳେ ଦଳ ସୁପର-୪ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଏହାପୂର୍ବରୁ ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।