ଆଫଗାନିସ୍ତାନର ପୁଣି ଏକ ଚମକପ୍ରଦ ବିଜୟ, ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା | News Room Odisha

ଆଫଗାନିସ୍ତାନର ପୁଣି ଏକ ଚମକପ୍ରଦ ବିଜୟ, ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା

ପୁଣେ: ଚଳିତ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ । ଦଳ ସୋମବାର ୧୯୯୬ର ବିଜେତା ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ପୁଣି ବଡ଼ ଓଲଟ ପାଲଟ କରିଛି । ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଏହା ତୃତୀୟ ବିଜୟ। ଦଳ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୩ଟି ପୂର୍ବତନ ଚାମ୍ପିୟନଙ୍କୁ ପରାସ୍ତ କରିଛି | ଏହା ପୂର୍ବରୁ ଦଳ ୧୯୯୨ ବିଜେତା ପାକିସ୍ତାନ ଏବଂ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ମଧ୍ୟ ଧରାଶାୟୀ କରିଥିଲା।

ଶ୍ରୀଲଙ୍କା ବିପକ୍ଷ ସଫଳତା ସହ ଆଫଗାନିସ୍ତାନ ୬ଟି ମ୍ୟାଚରୁ ତିନି ବିଜୟ ସହ ୬ ପଏଣ୍ଟ ପାଇ ସେମିଫାଇନାଲ ଆଶା ବଜାୟ ରଖିଛି | ଦଳ ଏବେ ପଏଣ୍ଟ୍ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ପରାଜୟ ପରେ ସେମିଫାଇନାଲ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି । ଶ୍ରୀଲଙ୍କା ୬ଟି ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଥିବା ବେଳେ ଷଷ୍ଠ ସ୍ଥାନରେ ରହିଛି ।

ପୁଣେ ଗ୍ରାଉଣ୍ଡରେ ଆଫଗାନିସ୍ତାନ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୮.୩ ଓଭରରେ ୨୪୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଆଫଗାନିସ୍ତାନ ୪୫.୨ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା।

ଦଳ ତରଫରୁ ଆଜମତୁଲ୍ଲା ଓମାରଜାଇ (୭୩), ରହମତ ଶାହା (୬୨ ରନ୍), ଅଧିନାୟକ ହଶମତୁଲ୍ଲା ଶାହିଦି (୫୮ ରନ) ଏବଂ ଓପନର୍ ଇବ୍ରାହିମ ଜାଦ୍ରାନ୍ (୩୯ ରନ୍) ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିବା ସତ୍ତ୍ୱେ ପରେ ବିପର୍ଯ୍ୟୟର ସମ୍ମୁଖୀନ ହେଇଥିଲା। ଦଳ ପକ୍ଷରୁ ପାଥୁମ ନିସଙ୍କା ୪୬, କୁଶଲ ମେଣ୍ଡିସ୍ ୩୯ ଓ ସାଦିରା ସମରବିକ୍ରମା ୩୬ ରନ୍ କରିଥିଲେ । ଆଫଗାନିସ୍ତାନ ତରଫରୁ ଫଜଲହକ୍ ଫାରୁକି ୪ଟି ୱିକେଟ୍ ନେଇଥିବା ବେଳେ ମୁଜିବ ଉର ରେହମାନ ୨ଟି ୱିକେଟ୍ ପାଇଥିଲେ।