କୁନୋ ନ୍ୟାସନାଲ ପାର୍କରେ ପ୍ରଥମ ଶିକାର କଲେ ଆଫ୍ରିକୀୟ ଚିତା | News Room Odisha

କୁନୋ ନ୍ୟାସନାଲ ପାର୍କରେ ପ୍ରଥମ ଶିକାର କଲେ ଆଫ୍ରିକୀୟ ଚିତା

ଭୋପାଳ: ଆଫ୍ରିକାରୁ ଅଣାଯାଇଥିବା ଦୁଇଟି ଚିତା କୁନୋ ନ୍ୟାସନାଲ ପାର୍କରେ ସେମାନଙ୍କର ପ୍ରଥମ ଶିକାର କରିଛନ୍ତି | ସେପ୍ଟେମ୍ବରରେ ନାମିବ୍ୟାରୁ ଆଠଟି ଚିତା ଅଣାଯିବା ପରେ ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ (କେଏନପି) ରେ ପୃଥକବାସ ଅବଧି ଯାଏଁ ଏକ ଛୋଟ ବାଡ଼ ମଧ୍ୟରେ ରଖାଯାଇଥିଲା । ଏହି ୮ ଚିତା ମଧ୍ୟରୁ ଦୁଇଟିକୁ ଶନିବାର ଏକ ବଡ଼ ବାଡ଼ ବା ଏନକ୍ଲୋଜରକୁ ଛଡାଯିବା ପରେ ସେମାନେ ନିଜର ପ୍ରଥମ ଶିକାର କରିଛନ୍ତିି ।

ଭାରତରେ ପୁଣି ଚିତା ସଂଖ୍ୟା ବୃଦ୍ଧି ଯୋଜନା ଅଧିନରେ ୧୭ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇ କେଏନପିରେ ଛଡ଼ା ଯାଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତାଗୁଡ଼ିକୁ କେଏନପିରେ ଛାଡିଥିଲେ। ନଭେମ୍ବର ୫ରେ ସେମାନେ ଏଠାରେ ୫୦ ଦିନ ପୂରଣ କରିଥିଲେ। ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ଫ୍ରେଡି, ଆଲଟନ୍, ସବାନା, ଶଶା, ଓବାନ୍, ଆଶା, ଚିବିଲି ଏବଂ ସାଇସା ନାମକ ଏହି ଚିତାମାନଙ୍କୁ ଏକ ମାସ ପାଇଁ ପୃଥକବାସରେ ରଖାଯାଇଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ ସାଧାରଣତ ବଣୁଆ ଜନ୍ତୁଙ୍କ ସ୍ଥାନାନ୍ତର ପୂର୍ବରୁ ଏବଂ ପରେ ଏକ ମାସ ପାଇଁ ପୃଥକବାସରେ ରଖାଯାଏ, ଯାହା ଦ୍ୱାରା ଅନ୍ୟ ଦେଶରୁ ସେମାନଙ୍କ ସହ ଆସିଥିବା କୌଣସି ସଂକ୍ରମଣ ଯେପରି ନ ବ୍ୟାପେ ।