ନୂଆଦିଲ୍ଲୀ: ଚାଞ୍ଚଲ୍ୟକର ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ କହିଛି ଯେ ହତ୍ୟା କରିବା ପରେ ଆଫତାବ୍ ଆମିନ ଶ୍ରଦ୍ଧାଙ୍କ ଫୋନ ଫିଙ୍ଗି ଦେଇଥିଲା । ପୋଲିସ ଏହି ଫୋନର ଶେଷ ଲୋକେସନ ଟ୍ରେସ୍ କରିଛି ଓ ଏହାକୁ ଖୁବଶୀଘ୍ର ଜବତ କରାଯିବ ବୋଲି ଆଶା କରାଯାଉଛି ।
ପୋଲିସ କହିଛି ଯେ ମେ’ରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମଧ୍ୟ ଆଫାତାବ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜୁନ୍ ପର୍ଯ୍ୟନ୍ତ ବ୍ୟବହାର କରିଆସୁଥିଲେ ଯାହାଫଳରେ ଲୋକମାନେ ଭାବିବେ ଯେ ଶ୍ରଦ୍ଧା ଜୀବିତ ଅଛନ୍ତି।
ତେବ ଶ୍ରଦ୍ଧାଙ୍କ ମୃତଦେହ ୩୫ ଖଣ୍ଡ କରିବା ପାଇଁ ଆଫାତାବ୍ ବ୍ୟବହାର କରିଥିବା ଅସ୍ତ୍ରକୁ ପୋଲିସ ଏଯାବତ୍ ପାଇପାରି ନାହିଁ।
ଦିଲ୍ଲୀର ଯେଉଁ ଜଙ୍ଗଲରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗ ଫିଙ୍ଗା ଯାଇଥିଲା, ମଙ୍ଗଳବାର ପୋଲିସ ଆଫାତାବକୁ ସେହି ସ୍ଥାନକୁ ନେଇଥିଲା ।
ଦିଲ୍ଲୀରେ ମେହେରୁଲି ଅଞ୍ଚଳରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ୬ ମାସ ପରେ ପର୍ଦ୍ଦାଫାସ୍ ହୋଇଛି । ଆଫତାବ୍ ନାମକ ବ୍ୟକ୍ତି ତାଙ୍କ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ମେ ୧୮ରେ ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ୩୫ ଖଣ୍ଡ କରି ୧୮ ଦିନ ଯାଏଁ ଦିଲ୍ଲୀ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।
ଦିଲ୍ଲୀ ପୋଲିସର ସୂଚନାନୁସାରେ ମୁମ୍ବାଇରେ ଏକ କଲ୍ ସେଣ୍ଟରରେ କାମ କରିବା ସମୟରେ ଅଭିଯୁକ୍ତ ଆଫତବ୍ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ପରେ ଉଭୟ ଲିଭ୍ ଇନ୍ ରିଲେସନରେ ରହିଥିଲେ । କିନ୍ତୁ ଏହାକୁ ଶ୍ରଦ୍ଧାଙ୍କ ପରିବାର ବିରୋଧ କରିଥିଲା । ଏହାପରେ ଉଭୟ ମୁମ୍ବାଇ ଛାଡ଼ି ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀର ମେହରୋଲିରେ ଏକ ଫ୍ଲାଟରେ ଭଡ଼ା ନେଇ ରହିଥିଲେ ।
ପୋଲିସ କହିଛି ଯେ ଶ୍ରଦ୍ଧା ବିବାହ ପାଇଁ ଆଫତାବ୍ ଉପରେ ଚାପ ପକାଉଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ମେ ୧୮ରେ ପୁଣି ବିବାହ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗିଯାଇ ଆଫତାବ୍ ଶ୍ରଦ୍ଧାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲେ । ଏହା ରଖିବା ପାଇଁ ସେ ଏକ ବଡ଼ ଫ୍ରିଜ୍ କିଣିଥିଲେ । ଏହାପରେ ଥର ଥର କରି ୧୮ ଦିନ ଯାଏଁ ବିଭିନ୍ନ ଅଞ୍ଚଳରେ ମୃତଦେହ ଅଙ୍ଗ ଫିଙ୍ଗିଥିଲା ।