ଓସ୍କାର ପରେ ଲତାଙ୍କୁ ଭୁଲିଗଲେ ଗ୍ରାମି ପୁରସ୍କାର ଆୟୋଜକ, ଶ୍ରଦ୍ଧାଞ୍ଜଳି ବିଭାଗରେ ନାହିଁ ନାମ; ପ୍ରଶଂସକ ଖପ୍ପା | News Room Odisha

ଓସ୍କାର ପରେ ଲତାଙ୍କୁ ଭୁଲିଗଲେ ଗ୍ରାମି ପୁରସ୍କାର ଆୟୋଜକ, ଶ୍ରଦ୍ଧାଞ୍ଜଳି ବିଭାଗରେ ନାହିଁ ନାମ; ପ୍ରଶଂସକ ଖପ୍ପା

ମୁମ୍ବାଇ : ଓସ୍କାର ପରେ ୬୪ ତମ ବାର୍ଷିକ ଗ୍ରାମି ପୁରସ୍କାର ଆୟୋଜକ ମଧ୍ୟ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ଭୁଲି ଯାଇଛନ୍ତି । ‘ଇନ୍ ମେମୋରିୟମ୍’ ବିଭାଗରୁ ଦିବଂଗତ ଗାୟିକା ଲତା ମଙ୍ଗେସକରଙ୍କୁ ବାଦ୍ ଦିଆଯାଇଛି । ଏନେଇ ଗ୍ରାମି ପୁରସ୍କାର ଆୟୋଜକଙ୍କୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି ।

ସଙ୍ଗୀତ ଜଗତର ସର୍ବବୃହତ୍ ତଥା ସମ୍ମାନଜନକ ପୁରସ୍କାର ଗ୍ରାମି ୨୦୨୨ ସୋମବାର ଆମେରିକାର ଲସ୍ ଭେଗାସ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଙ୍ଗୀତ ଜଗତର ଦିବଂଗତ କଳାକାର ମାନଙ୍କୁ ‘ଇନ୍ ମେମୋରିୟମ୍’ ବିଭାଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ହେଲେ ଏହି ବିଭାଗରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ସାମିଲ କରାଯାଇ ନଥିଲା | ସପ୍ତାହକ ପୂର୍ବରୁ ଏକାଡେମୀ ପୁରସ୍କାର (ଓସ୍କାର) ରେ ମଧ୍ୟ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ବିଭାଗରେ ସାମିଲ କରାଯାଇ ନଥିଲା |

ଲତା ମଙ୍ଗେସକରଙ୍କ ଚଳିତ ବର୍ଷ ଜାନୁଆରୀ ୬ରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

ମଙ୍ଗେସକରଙ୍କ ନାମକୁ ଶ୍ରଦ୍ଧାଞ୍ଜଳି ବିଭାଗରେ ସାମିଲ କରିନଥିବାରୁ ପ୍ରଶଂସକମାନେ ଟ୍ୱିଟରରେ ରେକର୍ଡିଂ ଏକାଡେମୀକୁ ସମାଲୋଚନା କରିଛନ୍ତି। ରେକର୍ଡିଂ ଏକାଡେମୀ ଏହି ସର୍ବ ବୃହତ ହଲିଉଡ ମ୍ୟୁଜିକ୍ ପୁରସ୍କାର ଶୋ’ର ଆୟୋଜନ କରିଥାଏ |

ଜଣେ ୟୁଜର ଲେଖିଛନ୍ତି ଯେ କେବଳ ଆମେରିକୀୟ ସଙ୍ଗୀତକୁ ସମ୍ମାନ ଦେଉଥିବା ଇଭେଣ୍ଟ “ମୂଲ୍ୟହୀନ ଏବଂ ଗୁରୁତ୍ୱହୀନ” |

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଟିକିଏ ଅଡ଼ଆ.. ଯେତେବେଳେ ସେମାନେ ଚଳିତ ବର୍ଷ ପରଲୋକ ଗମନ କରିଥିବା କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ସେତେବେଳେ ଭାରତର ସବୁଠାରୁ ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ବିଷୟରେ କୌଣସି ଉଲ୍ଲେଖ ନ କରିବା ବେକାର ଲାଗିଲା ।

ଅନ୍ୟ ଜଣେ ଲେଖିଛନ୍ତି, “… ଉଭୟ ଓସ୍କାର ଏବଂ ଗ୍ରାମି ନିଜ ନିଜ ଶ୍ରଦ୍ଧାଞ୍ଜଳି ବିଭାଗରେ ଲତା ମଙ୍ଗେସକରଙ୍କୁ ମନେ ପକାଇଲେ ନାହିଁ, ଏହା ଏକ ଲଜ୍ଜାଜନକ ବିଷୟ |”

ଗ୍ରାମି ପୁରସ୍କାରର ‘ଇନ୍ ମେମୋରିୟମ୍’ ବିଭାଗରେ କିମ୍ବଦନ୍ତୀ ଡ୍ରମର ଟେଲର ହକିନ୍ସ, ହଲିଉଡର କଳାକାର ସିଡନୀ ପୋଇଟିଅର୍ ଏବଂ ବେଟି ହ୍ବାଇଟ, ଗାୟକ-ଅଭିନେତା ମିଟ୍ ଲୋଫ୍, ଭିସେଣ୍ଟେ ଫର୍ଣ୍ଣାଣ୍ଡିସ୍, ଜାଜ୍ ସଙ୍ଗୀତକାର ଚିକ୍ କୋରିଆ ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା |