ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ | News Room Odisha

ବିଏସପି ସାଂସଦ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାହୁବଳୀ ନେତା ମୁଖତାର୍ ଅନସାରୀଙ୍କ ବଡ଼ ଭାଇ ଅଫଜଲ ଅନସାରୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ସୋମବାର (ମେ ୧) ଲୋକସଭା ସଚିବାଳୟ ତରଫରୁ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ଅଫଜାଲ ଅନସାରୀ ୬ ଥର ବିଧାୟକ ଏବଂ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଗାଜିପୁରର ଏକ ଏମପି-ଏମ୍ଏଲ୍ଏ କୋର୍ଟ ଅଫଜଲଙ୍କୁ ଚାରି ବର୍ଷ ଜେଲଦଣ୍ଡ ଦେଇଥିଲେ ।

ଜନ ପ୍ରତିନିଧି ଆଇନ ଅନୁଯାୟୀ ଅପରାଧିକ ମାମଲାରେ ଦୁଇ ବର୍ଷ କିମ୍ବା ଅଧିକ କାଳ ସଜା ହେଲେ ସମ୍ପୃକ୍ତ ବିଧାୟକ ଓ ସଂସଦଙ୍କ ସଦସ୍ୟତା ରଦ୍ଦ ହେବ । ଦଣ୍ଡର‌ ଅବଧି ବ୍ୟତୀତ ସେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ।

ଅଫଜଲ ଅନସାରୀଙ୍କ ଭାଇ ମୁଖତାର ଅନସାରୀଙ୍କୁ ମଧ୍ୟ ଉକ୍ତ ୧୪ ବର୍ଷ ପୁରୁଣା ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ୍ ଏବଂ ପାଞ୍ଚ ଲକ୍ଷ ଟଙ୍କା ଜରିମାନା ହୋଇଥିଲା।

ଗାଜିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁଜନ ସମାଜ ପାର୍ଟି (ବିଏସପି) ଟିକେଟରେ ଜିତି ଅଫଜଲ ଅନସାରୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ପଡୋଶୀ ଜିଲ୍ଲା ମାଉ ସଦର ବିଧାନସଭା ଆସନରୁ ମୁଖତାର ଅନସାରୀ କ୍ରମାଗତ ପାଞ୍ଚ ଥର ବିଧାୟକ ରହିଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀ ୨୦୨୨ ବିଧାନସଭା ନିର୍ବାଚନ ଲଢିନଥିଲେ । ଏହି ଆସନରୁ ତାଙ୍କ ପୁଅ ଆବାସ୍ ଅନସାରୀ ଏସବିଏସପି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।