ମୋମୋ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ବ୍ୟକ୍ତିଙ୍କ ମୃତ୍ୟୁ, ଏମ୍ସ ଜାରି କଲା ଚେତାବନୀ | News Room Odisha

ମୋମୋ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ବ୍ୟକ୍ତିଙ୍କ ମୃତ୍ୟୁ, ଏମ୍ସ ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ମୋମୋ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ବିଶେଷଜ୍ଞମାନେ ଏହି ଷ୍ଟ୍ରିଟ୍ ଫୁଡ୍ ଖାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏମ୍ସ ଫରେନସିକ୍ ବିଶେଷଜ୍ଞମାନେ କହିଛନ୍ତି ଯେ ମୋମୋ ହେଉଛି ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍, ଯାହାର ବାହ୍ୟ ଭାଗ ବେଶ୍ ନରମ । ଏବଂ ଏହି କାରଣରୁ ଏହା ସଠିକ୍ ଭାବରେ ନ ଚୋବାଇ ଖାଇଲେ ଏହା ଖାଦ୍ୟନଳୀ ପଟେ ଯିବା ବଦଳରେ ହଠାତ୍ ଓ୍ବିଣ୍ଡପାଇପ ବା ଶ୍ବାସନଳୀକୁ ଖସିଯାଏ । ଏହାଦ୍ବାରା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇପାରେ।

ଖବର ଅନୁଯାୟୀ ପ୍ରାୟ ୫୦ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଦକ୍ଷିଣ ଦିଲ୍ଲୀରୁ ଏମ୍ସକୁ ମୃତ ଅବସ୍ଥାରେ ଅଣାଯାଇଥିଲା | ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ ଏବଂ ଏକ ଦୋକାନରେ ଖାଉଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ପୋଷ୍ଟମର୍ଟମ ସମୟରେ ସିଟି ସ୍କାନରୁ ତାଙ୍କର ଉପର ଶ୍ବାସନଳୀ ବା ୱିଣ୍ଡପାଇପ୍ ମୁହଁରେ ପକୋଡା ଭଳି କିଛି ବ୍ଲକେଜ୍ ରହିଥିବା ଦେଖାଯାଇଥିଲା । ପରେ ତାହା ଏକ ମୋମୋ ବୋଲି ଜଣାପଡ଼ିଥିଲା । ମୋମୋସ୍ କାରଣରୁ ବ୍ୟକ୍ତି ଜଣକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଡାକ୍ତରୀ ଭାଷା ଅନୁଯାୟୀ, ଶ୍ୱାସରୁଦ୍ଧ ହେଉଛି ଏକ ଏପରି ଅବସ୍ଥା ଯାହା ଦ୍ୱାରା ଗ୍ରସନୀ (ଖାଦ୍ୟନଳୀ) ଏବଂ ଶ୍ବାସନଳୀ ମଧ୍ୟରେ ଯେକୌଣସି ସ୍ଥାନରେ ୱିଣ୍ଡପାଇପରେ ବ୍ଲକେଜ୍ ସୃଷ୍ଟି ହୋଇଯାଏ | ଯେତେବେଳେ ବି ଜଣେ ବ୍ୟକ୍ତି ଭୋଜନ କରିଥାନ୍ତି ଏବଂ ଖାଦ୍ୟ ସାମଗ୍ରୀ ସାମାନ୍ୟ ବଡ଼ ହୋଇଥାଏ, ତେବେ ତାହା ବେଳେ ବେଳେ ହଠାତ୍ ୱିଣ୍ଡପାଇପ୍ ଭିତରକୁ ଖସିଯାଏ । ଏହା Posterior Hypopharynx (ଟ୍ୟୁବର ତଳ ଅଂଶ ଯାହା ଖାଦ୍ୟନଳୀ ଏବଂ ୱିଣ୍ଡପାଇପ ଆଡ଼କୁ ଯାଇଥାଏ ) ରେ ରହିଯାଇପାରେ | ଫଳସ୍ୱରୂପ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଏ ।

ଏମ୍ସର ଫୋରେନସିକ୍ ବିଭାଗର ଅତିରିକ୍ତ ପ୍ରଫେସର ଡକ୍ଟର ଅଭିଷେକ ଯାଦବ କହିଛନ୍ତି ଯେ, ମୋମୋସ୍ ପ୍ରାୟ ସମସ୍ତଙ୍କ ପସନ୍ଦର ଷ୍ଟ୍ରିଟ୍ ଫୁଡ୍ । ତେବେ ଏହାର ବାହ୍ୟ ଭାଗ ଚିକ୍କଣ ତଥା ନରମ ହୋଇଥାଏ । ଏହାକୁ ଯଦି ସଠିକ୍ ଭାବେ ଚୋବାଇ ନ ଖାଇ ଢ଼ୋକି ଖିଆଯାଏ ତେବେ ଶ୍ୱାସରୁଦ୍ଧ ହୋଇପାରେ | ଏହି ନିର୍ଦ୍ଦିଷ୍ଟ ମାମଲାରେ ମୃତ୍ୟୁର କାରଣ ହେଉଛି ନ୍ୟୁରୋଜେନିକ୍ କାର୍ଡିଆକ୍ ଆରେଷ୍ଟ ଯାହା ମୋମୋସ ଚୋକ୍ ଯୋଗୁଁ ଘଟିଥିଲା। ”

ଡଃ ଯାଦବ କହିଛନ୍ତି, “ଏକ ମୋମୋସର ଆକାର ୫ × ୩ ସେଣ୍ଟିମିଟର ଯାହା ବହୁତ ବଡ଼ ଏବଂ ଏହି ପ୍ରକାର ଖାଦ୍ୟ ଖାଇବା ସମୟରେ ଲୋକମାନେ ସାବଧାନତା ଅବଲମ୍ବନ କରିବା ଉଚିତ୍ | ଯେତେବେଳେ ବି ଏପରି କୌଣସି ଘଟଣା (ଶ୍ୱାସରୁଦ୍ଧ) ଘଟେ, ଉପସ୍ଥିତ ଲୋକଙ୍କୁ ତୁରନ୍ତ Heimlich Manoeuvre କରିବା ଉଚିତ୍ । ଏହା ଏକ ପ୍ରାଥମିକ ଚିକିତ୍ସା ପ୍ରଣାଳୀ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଶ୍ଵାସନଳୀରେ ବ୍ଲକେଜ୍ ହଟାଇବା ପାଇଁ ତାଙ୍କ ନାଭି ଓ ତଳିପେଟ ମଧ୍ୟରେ ପେଟ ଉପରେ ଚାପ ସେପର୍ଯ୍ୟନ୍ତ ପ୍ରୟୋଗ କରାଯାଏ ଯେପର୍ଯ୍ୟନ୍ତ ବ୍ଲକେଜ୍ ରହିଥିବା ଖାଦ୍ୟ ବାହାରକୁ ନ ଆସେ ।