ରାହୁଲ ଗାନ୍ଧୀଙ୍କ କୁକୁର ନାଁକୁ ନେଇ ବିବାଦ, କୋର୍ଟ ଗଲେ ଏଆଇଏମ୍ଏମ୍ ନେତା | News Room Odisha

ରାହୁଲ ଗାନ୍ଧୀଙ୍କ କୁକୁର ନାଁକୁ ନେଇ ବିବାଦ, କୋର୍ଟ ଗଲେ ଏଆଇଏମ୍ଏମ୍ ନେତା

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଏକ କୁକୁର ଉପହାର ଦେଇଥିଲେ । ତେବେ ଏହି କୁକୁରର ନାଁକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । କୁକୁର ନାଁ ‘ନୁରୀ’ । ହେଲେ ଏଥିରେ ଆପତ୍ତି ଉଠାଇ ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ୍ ମୁସଲିମୀନ୍ (ଏଆଇଏମ୍ଏମ୍) କୋର୍ଟର ଦ୍ବାରସ୍ଥ ହୋଇଛି । ଏଆଇଏମ୍ଏମର ଉତ୍ତର ପ୍ରଦେଶ ମୁଖପାତ୍ର ମହମ୍ମଦ ଫରହାନ୍ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାମଲା ଦାୟର କରିଛନ୍ତି ।

ଫରହାନଙ୍କ ଓକିଲ କହିଛନ୍ତି, କୁକୁର ନାଁ ‘ନୁରୀ’ ରଖାଯିବା ଯୋଗୁଁ ଏହା ମୁସଲିମ‌ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ‘ନୁରୀ’ ଶବ୍ଦ ବିଶେଷ କରି ମୁସଲମାନ ଧର୍ମ ଓ ପ୍ରଫେଟ୍ ମହମ୍ମଦଙ୍କ ସହ ଜଡ଼ିତ । ‘ନୁରୀ’ ଶବ୍ଦ କୁରାନରେ ମଧ୍ୟ ଉଲ୍ଲେଖ ରହିଛି । ମୁସଲମାନ ଝିଅମାନଙ୍କ ନାମ ମଧ୍ୟ ‘ନୁରୀ’ । ତେଣୁ ତାଙ୍କ କୁକୁର ନାଁ ପରିବର୍ତ୍ତନ କରି କ୍ଷମା ମାଗିବାକୁ ରାହୁଲଙ୍କୁ ଆମେ‌ କହିଥିଲୁ । କିନ୍ତୁ ସେ ଶୁଣିନଥିଲେ ବୋଲି ଫରହାନଙ୍କ ଓକିଲ କହିଛନ୍ତି ।

ରାହୁଲ ଗାନ୍ଧୀ ଆମର ଧର୍ମ, ପରମ୍ପରା ଏବଂ ବିଶେଷ କରି ଆମର ପ୍ରଫେଟଙ୍କୁ ଅପମାନିତ କରିଛନ୍ତି। ଇସଲାମର ଆଗମନ ପରଠାରୁ କୌଣସି ମୁସଲମାନ ପରିବାର ସେମାନଙ୍କ ଗୃହପାଳିତ ପଶୁର ନାମ ‘ନୁରୀ’ ରଖି ନାହାଁନ୍ତି ବୋଲି ଫରହାନଙ୍କ ଓକିଲ କହିଛନ୍ତି । ଏଆଇଏମ୍ଏମର ନେତାଙ୍କ ଓକିଲ କହିଛନ୍ତି ଯେ କୋର୍ଟ ତାଙ୍କ ବୟାନ ରେକର୍ଡ କରିବା ପାଇଁ ନଭେମ୍ବର ୮ରେ ଫରହାନଙ୍କୁ ଡାକିଛନ୍ତି। ସେ କହିଛନ୍ତି ଯେ ଅଭିଯୋଗ ଉପରେ ବିଚାର କରିବା ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇବେ ।

ନିକଟରେ ରାହୁଲଙ୍କ କୁକୁର ନାଁ ନେଇ ଏଆଇଏମ୍ଏମର ରାଷ୍ଟ୍ରୀୟ ସଭାପତି ଅସାଦୁଦ୍ଦିନ ଓଓ୍ବେସି ମଧ୍ୟ ଆପତ୍ତି ଉଠାଇଥିଲେ ।