ଏୟାର ଇଣ୍ଡିଆ ବିମାନ ବୋମା ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂଙ୍କୁ ଗୁଳି କରି ହତ୍ୟା | News Room Odisha

ଏୟାର ଇଣ୍ଡିଆ ବିମାନ ବୋମା ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ୧୯୮୫ ଏୟାର ଇଣ୍ଡିଆ ବିମାନ କନିଷ୍କ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ରହିଥିବା ଶିଖ ନେତା ରିପୁଦମନ ସିଂ ମଲିକଙ୍କୁ କାନାଡାରେ ଗୁଳି କରି ହତ୍ୟା କରାଯାଇଛି।

୧୯୮୫ କନିଷ୍କ ବୋମା ବିସ୍ଫୋରଣ ମାମଲାରେ ରିପୁଦମନ ସିଂଙ୍କ ନାମ ଉଠିଥିଲା। ଏହି ବିସ୍ଫୋରଣରେ ୩୨୯ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ‘ବାବର ଖାଲସା’ର ହାତ ଥିଲା।

ରିପୁଦମନଙ୍କୁ ହତ୍ୟା କରାଯାଇଥିବା କାନାଡା ପୋଲିସ ସ୍ପଷ୍ଟ କରିଛି। ପୋଲିସର ସୂଚନାନୁସାରେ, କାନାଡାର ବ୍ରିଟିଶ କଲମ୍ବିଆର ସରେ ସହରରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ରିପୁଦମନ ସିଂ ମଲିକଙ୍କ ବ୍ୟତୀତ ୧୯୮୫ରେ ଏହି ଆତଙ୍କବାଦୀ ଆକ୍ରମଣର ଅନ୍ୟ ଅଭିଯୁକ୍ତ ଅଜାୟବ ସିଂ ବାଗ୍ରିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ମାମଲାରେ ରିପୁଦମନ ସିଂ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

୨୩ ଜୁନ୍ ୧୯୮୫ରେ ଦିଲ୍ଲୀରୁ ଭାଙ୍କୋଭର୍ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ କନିଷ୍କରେ ମଝି ଆକାଶରେ ବିସ୍ଫୋରଣ ହୋଇଥିଲା । ବିମାନରେ ଥିବା ସମସ୍ତ ୩୨୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ବିମାନଟି ଯେତେବେଳେ ଆୟର୍ଲାଣ୍ଡର ପଶ୍ଚିମ ଉପକୂଳରେ ପହଞ୍ଚିଥିଲା ସେତେବେଳେ ବିମାନରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା ।

ବିମାନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାନାଡା ବାସିନ୍ଦା ଯେଉଁମାନେ ନିଜ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଭାରତ ଯାଉଥିଲେ। ନିହତ ହୋଇଥିବା ୩୨୯ ଜଣଙ୍କ ମଧ୍ୟରେ ୬୦ରୁ ଅଧିକ ଶିଶୁ ମଧ୍ୟ ଥିଲେ।

ଏହି ବିସ୍ଫୋରଣ ପାଇଁ ଦୁଇ ଜଣ କାନାଡା ବାସିନ୍ଦା ଅଜାୟବ ସିଂ ବାଗ୍ରି ଏବଂ ରିପୁଦମନ ସିଂ ମଲିକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଉଭୟ ଅଭିଯୁକ୍ତ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ‘ବାବର ଖାଲସା’ ସହ ଜଡ଼ିତ ଥିଲେ। ଏମାନେ ୧୯୮୪ରେ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ନେବାକୁ ଏୟାର ଇଣ୍ଡିଆ ବିମାନକୁ ଟାର୍ଗେଟ କରିଥିଲେ ।