ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆ ବିମାନର ଦିଲ୍ଲୀରେ ଜରୁରୀ ଅବତରଣ | News Room Odisha

ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆ ବିମାନର ଦିଲ୍ଲୀରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଦିଲ୍ଲୀରୁ ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍ ଫେରିଆସିଛି | ଏୟାର ଇଣ୍ଡିଆର ଫ୍ଲାଇଟ୍ ଏଆଇ-୧୪୩ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନରେ ୨୧୦ ଜଣ ଯାତ୍ରୀ ଥିଲେ। ଏହି ଫ୍ଲାଇଟ୍ ଆଜି ଅପରାହ୍ନର ୧:୩୦ ରେ ପ୍ୟାରିସ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲ । ତେବେ ବିମାନଟି ପ୍ରାୟ ୨:୨୫ ମିନିଟରେ ଫେରିଆସିଥିଲା ।

ବିମାନରେ ଫ୍ଲାପ ସମସ୍ୟା ଥିବା କୁହାଯାଇଛି । ଏହି କାରଣରୁ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଫ୍ଲାପ୍ସ ବିମାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ମାଧ୍ୟମରେ ଅବତରଣ ଏୟାର ସ୍ପିଡ୍ ନିୟନ୍ତ୍ରିତ ହୋଇଥାଏ | ଯଦି ଏଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ଦେଖାଦିଏ, ତେବେ ଅବତରଣ ବେଳେ ଏୟାର ସ୍ପିଡ୍ ଅଧିକ ହୋଇଯାଏ | ଫ୍ଲାପ୍ ବିଫଳ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |