ରୁଷରେ ଫସିଥିବା ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନ ପଠାଇଲା ଏୟାର ଇଣ୍ଡିଆ | News Room Odisha

ରୁଷରେ ଫସିଥିବା ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନ ପଠାଇଲା ଏୟାର ଇଣ୍ଡିଆ

ୱାଶିଂଟନ୍: ଜରୁରୀକାଳୀନ ଅବତରଣ ପରେ ରୁଷରେ ଫସି ରହିଥିବା ନୂଆଦିଲ୍ଲୀ-ସାନ୍ ଫ୍ରାନ୍ସିସ୍କୋ ଫ୍ଲାଇଟର ଯାତ୍ରୀମାନଙ୍କୁ ନେବା ପାଇଁ ଏୟାର ଇଣ୍ଡିଆ ଆଉ ଏକ ବିମାନ ପଠାଇଛି । ଇଞ୍ଜିନରେ ସମସ୍ୟା ଯୋଗୁଁ ୨୧୬ ଯାତ୍ରୀ ଏବଂ ୧୬ ଜଣ କ୍ରୁ’ ସଦସ୍ୟଙ୍କ ସହିତ ବିମାନଟି ରୁଷରେ ଜରୁରୀ ଲ୍ୟାଣ୍ଡିଂ କରିଥିଲା | ଏହି ଘଟଣା ଉପରେ ଆମେରିକା ମଧ୍ୟ ନଜର ରଖିଛି । କାରଣ ବିମାନରେ ଆମେରିକାର ମଧ୍ୟ ନାଗରିକ ଅଛନ୍ତି ।

ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଇଞ୍ଜିନରେ କିଛି ସମସ୍ୟା କାରଣରୁ ଦିଲ୍ଲୀରୁ ଏଆଇ-୧୭୩ ବିମାନ ରୁଷର ମାଗଦାନକୁ ଡାଇଭର୍ଟ କରାଯାଇଥିଲା ।

ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, “ଆମେରିକା ଯାଉଥିବା ଏକ ବିମାନ ରୁଷରେ ଜରୁରୀ ଅବତରଣ କରିଥିବା ନେଇ ଆମେ ଅବଗତ ଅଛୁ । ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ବିମାନରେ ଆମେରିକୀୟ ନାଗରିକ ନିଶ୍ଚୟ ଥିବେ।ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ନେବା ପାଇଁ ଏୟାର ଇଣ୍ଡିଆ ଆଉ ଏକ ବିମାନ ପଠାଉଛି।

ଏୟାର ଇଣ୍ଡିଆର ମୁଖପାତ୍ର ଏକ ବୟାନରେ କହିଛନ୍ତି ଯେ ଏୟାର ଇଣ୍ଡିଆ ଜୁନ୍ ୭ରେ ମାଗଦାନରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ବିକଳ୍ପ ବିମାନ ଉଡାଣ କରିବ, ଯେଉଁଥିରେ ମାଗଦାନର ସ୍ଥାନୀୟ ହୋଟେଲରେ ଥିବା ଏଆଇ-୧୭୩ର ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଗନ୍ତବ୍ୟସ୍ଥଳକୁ ନିଆଯିବ । ମୁଖପାତ୍ର କହିଛନ୍ତି ଯେ ଯାତ୍ରୀମାନଙ୍କୁ ଯଥାଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ କର୍ତ୍ତୃପକ୍ଷ ବିମାନ ସେବାରେ ସହଯୋଗ କରୁଛନ୍ତି।