ପାନାମା ପେପର୍ସ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା | News Room Odisha

ପାନାମା ପେପର୍ସ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜେରା

ନୂଆଦିଲ୍ଲୀ: ‘ପାନାମା ପେପର୍ସ ଲିକ୍’ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଥିଲେ। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା)ର ନିୟମ ଅନୁଯାୟୀ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୪୮ ବର୍ଷିୟା ବୋହୂ ଐଶ୍ୱର୍ଯ୍ୟାଙ୍କୁ ଇଡି ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଯେତେବେଳେ ଅଭିନେତ୍ରୀ ଇଣ୍ଡିଆ ଗେଟ୍ ନିକଟରେ ଥିବା ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ, ସେତେବେଳେ ସେ ଏଜେନ୍ସିକୁ କିଛି ଡକ୍ୟୁମେଣ୍ଟ୍ ମଧ୍ୟ ଦେଇଥିଲେ।

ଏହି ମାମଲା ୱାଶିଂଟନ୍ ସ୍ଥିତ ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍ (ଆଇସିଆଇଜେ) ଦ୍ୱାରା ପାନାମା ଆଇନ ସଂସ୍ଥା ମୋସାକ୍ ଫୋନ୍ସେକାର ୨୦୧୬ ରେକର୍ଡର ଯାଞ୍ଚ୍ ସହ ଜଡିତ, ଯାହା ‘ପାନାମା ପେପର୍ସ’ ଭାବେ ଜଣାଯାଏ। ଏଥିରେ ବିଶ୍ୱର ବହୁ ନେତା ତଥା ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଥିଲା, ଯେଉଁମାନେ ବିଦେଶରେ ଥିବା କମ୍ପାନୀରେ ବେଆଇନ ଟଙ୍କା ଜମା କରିବା ତଥା ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ହୋଇଥିଲା। ପାନାମା ପେପର୍ସରେ ଭାରତୀୟଙ୍କ ସହ ଜଡିତ ପ୍ରାୟ ୧୨,୦୦୦ ଡକ୍ୟୁମେଣ୍ଟ୍ ମିଳିଥିଲା | ଏହାପୂର୍ବରୁ ୨୦୧୬ରେ ମୋସାକ୍ ଫୋନ୍ସେକାଙ୍କ ଡକ୍ୟୁମେଣ୍ଟ୍ ମଧ୍ୟ ଲିକ୍ ହୋଇଥିଲା ଯେଉଁଥିରେ ୫୦୦ ରୁ ଅଧିକ ଭାରତୀୟଙ୍କ ନାମ ରହିଥିଲା।