ମହାରାଷ୍ଟ୍ରର ରାଜନୀତିରେ ହଲଚଲ: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର, ଆଉ ୮ ଏନସିପି ନେତା ବି ସିନ୍ଦେ ସରକାରରେ ସାମିଲ | News Room Odisha

ମହାରାଷ୍ଟ୍ରର ରାଜନୀତିରେ ହଲଚଲ: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର, ଆଉ ୮ ଏନସିପି ନେତା ବି ସିନ୍ଦେ ସରକାରରେ ସାମିଲ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ । ଅଜିତ ପାୱାର ଏନସିପି ଠାରୁ ଅଲଗା ହୋଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । ଅଜିତ ପାୱାର ରବିବାର ରାଜ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଏନସିପିର ଆଉ ୮ ହେଭିଓ୍ବେଟ୍ ନେତା ମଧ୍ୟ ମହାରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ସମୟରେ ରାଜଭବନରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଉପସ୍ଥିତ ଥିଲେ। ଆଜି ଅଜିତ ପାୱାରଙ୍କ ସହ ଛଗନ ଭୁଜବଲ, ଦିଲୀପ ୱାଲସେ ପାଟିଲ, ଆଦିତ୍ୟ ଟାଟକେରେ, ଧନଞ୍ଜୟ ମୁଣ୍ଡେ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ସଞ୍ଜୟ ବାଁସୋଦେ ଏବଂ ଅନିଲ ଭାଇଦାସ ପାଟିଲ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଅଜିତ ପାୱାରଙ୍କ ସହ ରାଜ ଭବନକୁ ଆସିଥିବା କିଛି ବିଧାୟକ ପାଟନାରେ ନିକଟରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ଶରଦ ପାୱାରଙ୍କ ଏକତରଫା ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ବିଜେପିର ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିବାକୁ ଏନସିପିର ଅଜିତ ପାୱାର ଏବଂ ତାଙ୍କ ସହଯୋଗୀ ନେତାମାନେ ଆଜି ଆସିଛନ୍ତି। ଏହି ସମୀକରଣ ମହାରାଷ୍ଟ୍ରକୁ ମଜବୁତ କରିବ ଓ ଆଗକୁ ନେବ ।ସୁଧୀର ମୁଙ୍ଗାନ୍ତୱର କହିଛନ୍ତି ଯେ ଏନସିପି ଦଳ ବିଜେପିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆମେ ସେମାନଙ୍କୁ ସ୍ୱାଗତ କରୁଛୁ | ଆଜି ଏନସିପିର ଅନେକ ବିଧାୟକ ଯୋଗ ଦେଇଛନ୍ତି।

ଏହାପୂର୍ବରୁ ଅଜିତ ପାୱାର ଏନସିପି ବିଧାୟକଙ୍କ ଏକ ବୈଠକ ଡାକିଥିଲେ। ଏନେଇ ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଏହି ବୈଠକ କାହିଁକି ଡକାଯାଇଛି ମୁଁ ଜାଣେ ନାହିଁ । କିନ୍ତୁ ବିରୋଧୀ ଦଳର ନେତା ହୋଇଥିବାରୁ ବିଧାୟକ ଦଳ ବୈଠକ ଡାକିବା ତାଙ୍କ (ଅଜିତ ପାୱାର )ଅଧିକାର ରହିଛି। ସେ ନିୟମିତ ଏପରି କରିଛନ୍ତି | ଏହି ବୈଠକ ବିଷୟରେ ମୁଁ ଅଧିକ ଜାଣେ ନାହିଁ।