କୋର୍ଟଙ୍କ ଅନୁମତି ସତ୍ତ୍ୱେ ସାମ୍ବାଦିକ ଆକାର ପଟେଲଙ୍କୁ ପୁଣି ବିଦେଶ ଯିବାରୁ ରୋକାଗଲା | News Room Odisha

କୋର୍ଟଙ୍କ ଅନୁମତି ସତ୍ତ୍ୱେ ସାମ୍ବାଦିକ ଆକାର ପଟେଲଙ୍କୁ ପୁଣି ବିଦେଶ ଯିବାରୁ ରୋକାଗଲା

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ତଥା ସାମ୍ବାଦିକ ଆକାର ପଟେଲଙ୍କୁ ପୁଣି ବିଦେଶ ଯିବାରୁ ରୋକାଯାଇଛି । ବିଦେଶ ଗସ୍ତ ପାଇଁ ତାଙ୍କୁ କୋର୍ଟଙ୍କ ଅନୁମତି ସତ୍ତ୍ୱେ ତାଙ୍କୁ ବିମାନ ବନ୍ଦରରେ ଇମିଗ୍ରେସନ ଅଧିକାରୀ ମାନେ ଅଟକାଇଥିଲେ ବୋଲି ପଟେଲ ଟ୍ବିଟ୍ କରି କହିଛନ୍ତି। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ମୋ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ପ୍ରତ୍ୟାହାର କରିନାହିଁ ବୋଲି ସେ କହିଛନ୍ତି। ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି, ‘ବାଙ୍ଗାଲୋର ବିମାନ ବନ୍ଦରରେ ଇମିଗ୍ରେସନ ଅଧିକାରୀ ମାନେ ତାଙ୍କୁ କହିଥିଲେ ଯେ ସିବିଆଇର କେହି ସେମାନଙ୍କ କଲ୍ ର ଉତ୍ତର ଦେଉନାହାଁନ୍ତି।’

ଉଲ୍ଲେଖଯୋଗ୍ୟ, ଆକର ପଟେଲଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ୍ ସର୍କୁଲାର ପ୍ରତ୍ୟାହାର କରିବାକୁ ଦିଲ୍ଲୀର ଏକ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ନିଜ ଅଧିକାରୀଙ୍କ ଦ୍ବାରା ଭୁଲ୍ ହୋଇଛି ବୋଲି ସ୍ବୀକାର କରି ପଟେଲଙ୍କୁ ଲିଖିତ ଆକାରରେ କ୍ଷମାପ୍ରାର୍ଥନା କରିବାକୁ ମଧ୍ୟ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ପୱନ କୁମାର ସିବିଆଇ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଆଦେଶ ଦେବା ସହ ସିବିଆଇକୁ ଏପ୍ରିଲ୍ ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଆର୍ଥିକ କ୍ଷତି ବ୍ୟତୀତ ଆବେଦନକାରୀଙ୍କୁ ମାନସିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଥିଲା, କାରଣ ସେ ଠିକ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଦିଆ ଯାଇନଥିଲା ।