ଅଖିଳେଶ ଯାଦବ ଓ ଆଜମ ଖାନ ଲୋକସଭାରୁ ଇସ୍ତଫା ଦେଲେ | News Room Odisha

ଅଖିଳେଶ ଯାଦବ ଓ ଆଜମ ଖାନ ଲୋକସଭାରୁ ଇସ୍ତଫା ଦେଲେ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଅଖିଳେଶଙ୍କ ସହ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ନେତା ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଅଖିଳେଶ ଯାଦବ ମୈନପୁରୀର କରହଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜାମ ଖାନ ରାମପୁରରୁ ଜିତିଥିଲେ। ଅଖିଳେଶ ଯାଦବ ବିରୋଧୀ ଦଳର ନେତା ହୋଇପାରନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କରହଲ ଆସନରେ ବିଜେପିର ଡକ୍ଟର ଏସପି ସିଂ ବାଗେଲଙ୍କୁ ପରାସ୍ତ କରିଥିଲେ। ନିର୍ବାଚନ ଫଳାଫଳରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ସମାଜବାଦୀ ପାର୍ଟି ମଧ୍ୟ ୧୦୦ରୁ ଊର୍ଦ୍ଧ୍ବ ସିଟରେ ବିଜୟୀ ହୋଇ ଦ୍ୱିତୀୟ ବୃହତ୍ତମ ଦଳ ହୋଇଥିଲା।

ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରଠାରୁ ଅଖିଳେଶ ଯାଦବ ବିଧାୟକ ପଦ ନା ଲୋକସଭା ସଦସ୍ୟତାରୁ ଇସ୍ତଫା ଦେବେ ଚର୍ଚ୍ଚା ଲାଗି ରହିଥିଲା। ଆଜି ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇ ସେ ସବୁ କଳ୍ପନା କଳ୍ପନାର ଅବସାନ ଘଟାଇଛନ୍ତି ।