ଉତ୍ତର ପ୍ରଦେଶ ନିର୍ବାଚନ: କରହଲ ଆସନରୁ ଲଢ଼ିବେ ଅଖିଳେଶ | News Room Odisha

ଉତ୍ତର ପ୍ରଦେଶ ନିର୍ବାଚନ: କରହଲ ଆସନରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅଖିଳେଶ ଯାଦବ ମୈନପୁରୀର କରହଲ ଆସନରୁ ବିଧାନସଭା ନିର୍ବାଚନ ​​ଲଢିବେ ବୋଲି ଘୋଷଣା କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ଯଦି ରାଜ୍ୟରେ ଏସପି ସରକାର ଗଠନ ହୁଏ, ତେବେ ଆଗାମୀ ସମୟରେ ୨୨ ଲକ୍ଷ ଯୁବକ ଆଇଟି କ୍ଷେତ୍ରରେ ଚାକିରି ପାଇବେ | ସମାଜବାଦୀ ନେତା ରାମ ଗୋପାଳ ଯାଦବ ଘୋଷଣା କରିଛନ୍ତି ଯେ ଅଖିଳେଶ ଯାଦବ “ରେକର୍ଡ” ଭୋଟରେ ଜିତିବେ।

କିଛି ଦିନ ତଳେ ଅଖିଳେଶ କହିଥିଲେ ଯେ ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ । ସେବେଠାରୁ ବିଧାନସଭା ନିର୍ବାଚନ ପାଇଁ ସେ ନିଜର ପ୍ରାର୍ଥୀତ୍ବ ସମ୍ପର୍କରେ ଘୋଷଣା କରିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏଥର ଯେଉଁ ସ୍ଥାନରୁ ଅଖିଳେଶ ଲଢ଼ିବେ ସେହି ଆସନ ଏସପିର ଏକ ଗଡ଼ ବୋଲି ବିବେଚନା କରାଯାଏ |

କରହଲ୍ ବିଧାନସଭା ଆସନରେ ସମାଜବାଦୀ ପାର୍ଟିର ବହୁ ଦବଦବା ରହିଛି | ଏହି ଆସନଟି ଏସପିର ସୁରକ୍ଷିତ ଆସନ ବୋଲି କୁହାଯାଉଛି। ୧୯୯୩ ପରଠାରୁ ଏସପି କ୍ରମାଗତ ଭାବରେ ଏଠାରେ ଜିତି ଆସିଛି | କେବଳ ୨୦୦୨-୨୦୦୭ରେ ବିଜେପି ଏହି ଆସନ ଜିତିଥିଲା। ଯାଦବ ପରିବାରର ଏକ ଗଡ଼ ପାଲଟିଥିବା ମୈନପୁରୀ ଜିଲ୍ଲାରେ କରହଲ ଆସନ ଆସେ | ଏହି ଆକଳନକୁ ଦୃଷ୍ଟିରେ ରଖି ଏସପି କର୍ମୀମାନେ ଅଖିଳେଶ ଯାଦବଙ୍କ ବିଜୟ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ ଫେବୃଆରୀ ୧୦ରୁ ୟୁପିରେ ମୋଟ ୪୦୩ ଟି ସିଟ୍ ପାଇଁ ସାତୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ମାର୍ଚ୍ଚ ୧୦ରେ ଫଳାଫଳ ଆସିବ | ନିର୍ବାଚନ ପୂର୍ବରୁ ବିଜେପିର ଅନେକ ବରିଷ୍ଠ ନେତା ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓବିସିର ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ।