ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଆଲେକ୍ସ କାରେ | News Room Odisha

ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଆଲେକ୍ସ କାରେ

ବ୍ରିସବେନ୍ : ପ୍ରଥମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି | ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ୱିକେଟ୍ କିପର ଆଲେକ୍ସ କାରେ ଡେବ୍ୟୁ କରିଥିଲେ। କାରେ ତାଙ୍କର ପ୍ରଥମ ଟେଷ୍ଟରେ ହିଁ ସର୍ବାଧିକ କ୍ୟାଚ୍ ନେଇ ଏକ ରେକର୍ଡ କରିଛନ୍ତି। ସେ ଏହି ମ୍ୟାଚରେ ମୋଟ ୮ଟି କ୍ୟାଚ୍ ନେଇଥିଲେ। ଏଥିସହ କାରେ ଭାରତର ରିଷଭ ପନ୍ତଙ୍କ ଏବଂ ଅନ୍ୟ ପାଞ୍ଚଜଣ ୱିକେଟ୍ କିପରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ପନ୍ତ ଓ ଅନ୍ୟ ପାଞ୍ଚ ଓ୍ବିକେଟ୍ କିପର ନିଜ ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରତ୍ୟେକ ୭ଟି କ୍ୟାଚ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟର ଚତୁର୍ଥ ଦିନରେ ୩୦ ବର୍ଷୀୟ କାରେ କ୍ରିସ୍ ୱକ୍ସଙ୍କ କ୍ୟାଚ୍ ନେଇ ଡେବ୍ୟୁରେ ସର୍ବାଧିକ କ୍ୟାଚ୍ ନେବାର ନୂଆ ରେକର୍ଡ କରିଥିଲେ |

ଦକ୍ଷିଣ ଆଫ୍ରିକା ୱିକେଟ୍ କିପର କ୍ୱିଣ୍ଟନ୍ ଡି’କକ୍ ଶ୍ରୀଲଙ୍କା ବିପକ୍ଷରେ ଗଲ୍ ଟେଷ୍ଟରେ ନଅଟି କ୍ୟାଚ୍ ନେଇଥିଲେ । କିନ୍ତୁ ତାହା ତାଙ୍କର ପ୍ରଥମ ଟେଷ୍ଟ ନଥିଲା। ଡି’କକ୍ ପୋର୍ଟ ଏଲିଜାବେଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ମଧ୍ୟ ସେ ଏହି ମ୍ୟାଚରେ ୱିକେଟକିପିଂ କରିନଥିଲେ। ଏହି ମ୍ୟାଚରେ ଏବି ଡି’ ଭିଲିୟର୍ସ ୱିକେଟକିପିଂ ଦାୟିତ୍ବ ତୁଲାଇଥିଲେ ।

ଡେବ୍ୟୁରେ ୱିକେଟ୍ କିପରଙ୍କ ଦ୍ୱାରା ସର୍ବାଧିକ କ୍ୟାଚ୍:
ଆଲେକ୍ସ କାରେ (୮)
କ୍ରିସ୍ ରିଡ୍ (୭)
ବ୍ରାଏନ୍ ଟାବର୍ (୭)
ଚାମରା ଦୁନିସିଂଘେ (୭)
ରିଷଭ ପନ୍ତ (୭)
ପିଟର ନେଭିଲ୍ (୭)
ଆଲାନ୍ ନଟ୍ (୭)