ଚନ୍ଦ୍ରଯାନ-୩: ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଏବେ ରୋଭର 'ପ୍ରଜ୍ଞାନ' ଉପରେ ନଜର | News Room Odisha

ଚନ୍ଦ୍ରଯାନ-୩: ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଏବେ ରୋଭର ‘ପ୍ରଜ୍ଞାନ’ ଉପରେ ନଜର

ବେଙ୍ଗାଲୁରୁ: ଦୀର୍ଘ ୪୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ବୁଧବାର ସନ୍ଧ୍ୟା ନିର୍ଦ୍ଧାରିତ ଠିକ୍ ୬:୦୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି | ଏଥିସହ ଭାରତ ଚନ୍ଦ୍ରରେ ପାଦ ଥାପିବାରେ ବିଶ୍ବର ଚତୁର୍ଥ ଓ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ୪ଟି ପେଲୋଡ୍ ଲାଗିଛି | ସେମାନଙ୍କର କାମ ହେଉଛି ଚନ୍ଦ୍ର ପୃଷ୍ଠରେ ରହସ୍ୟର ଉନ୍ମୋଚନ କରିବା | ଏହି ପେଲୋଡ୍ ଗୁଡ଼ିକ ଚନ୍ଦ୍ରରେ ଜଳର ସନ୍ଧାନ ସହ ମାନବ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହେବେ ।

ଚନ୍ଦ୍ରଯାନ-୩ର ଅବତରଣର ପ୍ରାୟ ୪ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡର ଭିତରୁ ରୋଭର ‘ପ୍ରଜ୍ଞାନ’ ଏକ ପାର୍ଶ୍ୱ ପ୍ୟାନେଲ ଦେଇ ବାହାରକୁ ଆସିବ | ରୋଭର ‘ପ୍ରଜ୍ଞାନ’ର ମୁଖ୍ୟ କାମ ହେଉଛି ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରି ଏହାକୁ ଇସ୍ରୋକୁ ପଠାଇବା | ‘ପ୍ରଜ୍ଞାନ’ ରୋଭର ମଧ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବ | ଏହାଛଡ଼ା ଏଥିରେ ନିୟୋଜିତ ଚାରି ପେଲୋଡ୍ ଚନ୍ଦ୍ରର ମ୍ୟାପିଂ ବ୍ୟତୀତ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷଣ ମଧ୍ୟ କରିବେ | ‘ପ୍ରଜ୍ଞାନ’ ରୋଭରର ଓଜନ ପ୍ରାୟ ୨୬ କିଲୋଗ୍ରାମ | ଏଥିରେ ୬ଟି ଚକ ଲାଗିଛି | ଏହାର ପଛ ଦୁଇ ଚକ ଉପରେ ଇସ୍ରୋ ଏବଂ ଇଣ୍ଡିଆ ଲୋଗୋ ଅଛି ।

ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ଲ୍ୟାଣ୍ଡରରେ ଲାଗିଥିବା ଆଧୁନିକ କମ୍ୟୁନିକେଟର ‘ପ୍ରଜ୍ଞାନ’ ରୋଭର ସହିତ ଯୋଗାଯୋଗ କରିବ | ବିକ୍ରମ ଲ୍ୟାଣ୍ଡର ଭିତରୁ ଏକ ରାମ୍ପ ବାହାରିବ, ଯାହା ସହାୟତାରେ ‘ପ୍ରଜ୍ଞାନ’ ରୋଭର ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇବ । ବିକ୍ରମ ଲାଣ୍ଡର ‘ପ୍ରଜ୍ଞାନ’ର ଫଟୋ ଉଠାଇବ ଏବଂ ‘ପ୍ରଜ୍ଞାନ’ ମଧ୍ୟ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇ ପୃଥିବୀକୁ ପଠାଇବ।

ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ବିକ୍ରମ ଲ୍ୟାଣ୍ଡରରେ ନିୟୋଜିତ ଚାରିଟି ପେଲୋଡ୍ ଚନ୍ଦ୍ର ପୃଷ୍ଠର ଯାଞ୍ଚ କରିବ | ଏଥିମଧ୍ୟରୁ ରେଡ଼ିଓ ଆନାଟୋମି ଅଫ୍ ମୁନ୍ ବାଉଣ୍ଡ ହାଇପରସେନ୍ସିଟିଭ୍ ଆଣ୍ଡ ଆଟମୋସ୍ଫିୟର ଅର୍ଥାତ (RAMBHA) ଚନ୍ଦ୍ର ସୀମାରେ ସୂର୍ଯ୍ୟଠାରୁ ଆସୁଥିବା ପ୍ଲାଜମା କଣିକାର ଘନତା, ପରିମାଣ ଏବଂ ପରିବର୍ତ୍ତନ ସମ୍ପର୍କରେ ଅନୁଧ୍ୟାନ କରିବ । ଏହାଛଡ଼ା ଚାଷ୍ଟେ (ChaSTE) ଚନ୍ଦ୍ର ପୃଷ୍ଠର ଉତ୍ତାପ ଯାଞ୍ଚ କରିବ | ଏଥି ସହିତ ଇଲସା (ILSA) ଅବତରଣ ସ୍ଥାନ ଚାରିପାଖରେ ଚନ୍ଦ୍ରରେ ଘଟିଥିବା ଭୂକମ୍ପ ଆକଳନ କରିବ | ଏହା ବ୍ୟତୀତ, ‘ଲେଜର ରିଟ୍ରୋରିଫ୍ଲେକ୍ଟର ଏରେ’ ଚନ୍ଦ୍ରର ଡାଇନାମିକ୍ସ ସମ୍ବନ୍ଧରେ ଅଧ୍ୟୟନ କରିବ ।

ଇସ୍ରୋ ଅନୁଯାୟୀ, ଚନ୍ଦ୍ର ପୃଷ୍ଠ ଏବଂ ଏହାର ଆଖପାଖ ବାତାବରଣ ଅଧ୍ୟୟନ କରିବା ପାଇଁ ଲ୍ୟାଣ୍ଡର୍ ଏବଂ ରୋଭରକୁ ଗୋଟିଏ ଚନ୍ଦ୍ର ଦିବସ (ପ୍ରାୟ ୧୪ ପୃଥିବ ଦିବସ ସହିତ ସମାନ) ସମୟ ମିଳିବ | ଏହାପରେ ଏହି ଦୁଇ ଯନ୍ତ୍ର ଅକାମି ହୋଇଯିବେ । ତେବେ ଲ୍ୟାଣ୍ଡର୍ ଏବଂ ରୋଭର ଆଉ ଏକ ଚନ୍ଦ୍ର ଦିବସ ପର୍ଯ୍ୟନ୍ତ ସକ୍ରିୟ ରହିବା ସମ୍ଭାବନାକୁ ବୈଜ୍ଞାନିକମାନେ ଏଡ଼ାଇ ଦେଇନାହାଁନ୍ତି।