ବିଦେଶରୁ ବେଆଇନ ଅନୁଦାନ ଗ୍ରହଣ କରିବା ଅଭିଯୋଗକୁ ଖଣ୍ଡନ କଲା 'ଅଲ୍ଟ ନ୍ୟୁଜ୍', କହିଲା ୱେବସାଇଟ୍ ବନ୍ଦ କରିବା ପାଇଁ ଚାଲିଛି ଉଦ୍ୟମ | News Room Odisha

ବିଦେଶରୁ ବେଆଇନ ଅନୁଦାନ ଗ୍ରହଣ କରିବା ଅଭିଯୋଗକୁ ଖଣ୍ଡନ କଲା ‘ଅଲ୍ଟ ନ୍ୟୁଜ୍’, କହିଲା ୱେବସାଇଟ୍ ବନ୍ଦ କରିବା ପାଇଁ ଚାଲିଛି ଉଦ୍ୟମ

ନୂଆଦିଲ୍ଲୀ : ଆଇନ ଉଲ୍ଲଂଘନ କରି ବିଦେଶରୁ ପାଣ୍ଠି ପାଇଥିବା ନେଇ ଦିଲ୍ଲୀ ପୋଲିସର ଅଭିଯୋଗକୁ ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ‘ଅଲ୍ଟ ନ୍ୟୁଜ୍’ ସୋମବାର ଖଣ୍ଡନ କରିଛି।

ବିଭିନ୍ନ ଅଭିଯୋଗ ଅଣାଯାଇ ୱେବସାଇଟ୍ ବନ୍ଦ କରିବାକୁ ପ୍ରୟାସ କରାଯାଉଛି ବୋଲି ‘ଅଲ୍ଟ ନ୍ୟୁଜ୍’ ଦାବି ମଧ୍ୟ କରିଛି।

ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ‘ଅଲ୍ଟ ନ୍ୟୁଜ୍’ ଦିଲ୍ଲୀ ପୋଲିସର ଅଭିଯୋଗ ଖଣ୍ଡନ କରି କହିଛି ଯେ ଆମେ ବିଦେଶୀ ଉତ୍ସରୁ ଟଙ୍କା ପାଇବା ଆରୋପ ସମ୍ପୂର୍ଣ୍ଣ ମିଛ।

ଦିଲ୍ଲୀ ପୋଲିସ କହିଥିଲା ଯେ ‘ଅଲ୍ଟ ନ୍ୟୁଜ୍’ ଯେଉଁ ପ୍ରବଦା ମିଡିଆ ଅଧୀନରେ କାର୍ଯ୍ୟ କରୁଛି ସେହି ସଂସ୍ଥାକୁ ବିଭିନ୍ନ କାରବାର ମାଧ୍ୟମରେ ୨ ଲକ୍ଷରୁ ଅଧିକ ଟଙ୍କା ମିଳିଛି । ଅନୁଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ଗୁଡ଼ିକର ମୋବାଇଲ୍ ଫୋନ୍ ନମ୍ବର ଓ ଆଇପି ଠିକଣା ଅନ୍ୟ ଦେଶର ବୋଲି ଜଣାପଡ଼ିଛି ।

“ଅଲ୍ଟ ନ୍ୟୁଜ୍’ ବିବୃତ୍ତିରେ କୁହାଯାଇଛି ଯେ, “ଆମେ ଯେଉଁ ପ୍ଲାଟଫର୍ମ ମାଧ୍ୟମରେ ଅନୁଦାନ ଗ୍ରହଣ କରୁ, ତାହା ବିଦେଶୀରୁ ଆଦୌ ପାଣ୍ଠି ଗ୍ରହଣ କରେନାହିଁ । ଏବଂ ଆମେ କେବଳ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରୁ ଦାନ ନେଇଛୁ। ବିବୃତ୍ତି ଅନୁଯାୟୀ ଏହି ଚ୍ୟାନେଲ ମାଧ୍ୟମରେ ପ୍ରାପ୍ତ ସମସ୍ତ ଅନୁଦାନ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ |

ଗତ ସୋମବାର ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଜୁବେର ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଅନୁଦାନ ନେଇଥିବା ଅଭିଯୋଗକୁ ମଧ୍ୟ ଅଲ୍ଟ ନ୍ୟୁଜ୍ ଅସ୍ୱୀକାର କରିଛି। ସଂଗଠନ ସହ ଜଡିତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଅନୁଦାନ ନେଉଥିବା ଅଭିଯୋଗ ମଧ୍ୟ ମିଥ୍ୟା । କାରଣ ସଂଗଠନ ସହ ଜଡିତ ବ୍ୟକ୍ତିମାନେ କେବଳ ମାସିକ ପାରିଶ୍ରମିକ ପାଇଥା’ନ୍ତି ବୋଲି ୱେବସାଇଟରେ କୁହାଯାଇଛି।

ୱେବସାଇଟ୍ କହିଛି, ଆମେ କରୁଥିବା ଗମ୍ଭୀର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆମର ଚକ୍ରାନ୍ତ ଚାଲିଛି । ୱେବସାଇଟ୍ ବନ୍ଦ କରିବା ଉଦ୍ୟମ ବିରୋଧରେ ଆମେ ଦୃଢ଼ତାର ସହ ଲଢିବୁ ଏବଂ ବିଜୟୀ ହେବୁ ।