ଜାତୀୟ ଯୁଦ୍ଧ ସ୍ମାରକୀ ମଶାଲରେ ବିଲୟ ହେଲା ଅମର ଯବାନ ଜ୍ୟୋତି | News Room Odisha

ଜାତୀୟ ଯୁଦ୍ଧ ସ୍ମାରକୀ ମଶାଲରେ ବିଲୟ ହେଲା ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍ ରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀ ମଶାଲରେ ବିଲୟ କରାଯାଇଛି | ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସାମରିକ ରୀତିନୀତି ସହିତ ସମ୍ପନ୍ନ ହୋଇଛି | ସେନା ଅଧିକାରୀ ଏବଂ ଯବାନମାନେ ପ୍ରଥମେ ଅମର ଯବାନ ଜ୍ୟୋତି ଠାରେ ସହିଦ୍ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ଏହା ପରେ ମଶାଲକୁ ଜାତୀୟ ଯୁଦ୍ଧ ସ୍ମାରକୀ ଆଡକୁ ନିଆଯାଇଥିଲା |

୧୯୭୧ର ଭାରତ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତିର ସ୍ଥାପନା ହୋଇଥିଲା | ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏବଂ ବାଂଲାଦେଶ ଗଠନ ହୋଇଥିଲା। ୨୬ ଜାନୁଆରୀ ୧୯୬୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ।

ସେନା ଅଧିକାରୀ କହିଛନ୍ତି ଯେ ଅମର ଯବାନ ଜ୍ୟୋତି ଶୁକ୍ରବାର ଅପରାହ୍ନରେ ଇଣ୍ଡିଆ ଗେଟର ମାତ୍ର ୪୦୦ ମିଟର ଦୂରରେ ଅବସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ମଶାଲରେ ବିଲୟ ହେବ। ୨୫ ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କରିଥିଲେ । ଏଠାରେ ୨୫,୯୪୨ ସୈନିକଙ୍କ ନାମ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯାଇଛି।

ଅନ୍ୟପଟେ କଂଗ୍ରେସ ଜାତୀୟ ଯୁଦ୍ଧ ସ୍ମାରକୀର ମଶାଲରେ ଅମର ଯବାନ ଜ୍ୟୋତିକୁ ମିଶ୍ରଣ ନେଇ କେନ୍ଦ୍ରର ପଦକ୍ଷେପକୁ ସମାଲୋଚନା କରିଛି । ଏହା ସୈନିକମାନଙ୍କ ବଳିଦାନର ଇତିହାସ ଲିଭାଇବା ସହ ସମାନ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ‘ଆମ ସାହସୀ ସୈନିକମାନଙ୍କ ପାଇଁ ଜଳୁଥିବା ଅମର ଜ୍ୟୋତି ଆଜି ଲିଭାଯିବ। କିଛି ଲୋକ ଦେଶପ୍ରେମ ଏବଂ ବଳିଦାନ ବୁଝିପାରନ୍ତି ନାହିଁ – କିଛି ଅସୁବିଧା ନାହିଁ, ଆମେ ଆମ ସୈନିକମାନଙ୍କ ପାଇଁ ଅମର ଯବାନ ଜ୍ୟୋତିକୁ ପୁଣି ଥରେ ପ୍ରଜ୍ବଳିତ କରି ଦେବୁ! ‘