ଏଫ୍ଆଇଏଚ୍ ପ୍ରୋ ଲିଗ୍: ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍ସ ମ୍ୟାଚ୍ ପାଇଁ ଅମିତ ରୋହିଦାସ ଭାରତୀୟ ଦଳର ଅଧିନାୟକ | News Room Odisha

ଏଫ୍ଆଇଏଚ୍ ପ୍ରୋ ଲିଗ୍: ବେଲଜିୟମ ଏବଂ ନେଦରଲ୍ୟାଣ୍ଡ୍ସ ମ୍ୟାଚ୍ ପାଇଁ ଅମିତ ରୋହିଦାସ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ଡିଫେଣ୍ଡର ଅମିତ ରୋହିଦାସ ଆସନ୍ତା ମାସରେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ଲିଗର ୨୦୨୧-୨୨ ସିଜନର ଗୁରୁତ୍ୱପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ପୁରୁଷ ହକି ଦଳର ନେତୃତ୍ୱ ନେବେ। ଘରୋଇ ମାଟିରେ ପୂର୍ବ ଦୁଇଟି ପର୍ଯ୍ୟାୟ ପରି ଷ୍ଟାର୍ ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂ ଉପଅଧିନାୟକ ହେବେ |

ଭାରତ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଟେବୁଲରେ ୧୨ ଟି ମ୍ୟାଚରୁ ୨୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି ଏବଂ ଆର୍ଜେଣ୍ଟିନାଠାରୁ ତିନି ପଏଣ୍ଟ ଆଗରେ ରହିଛି । ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଭାରତ ପରବର୍ତ୍ତୀ ଚାରିଟି ମ୍ୟାଚରେ ନିଜ ପ୍ରାଧାନ୍ୟ ବଢାଇ ଏହି ସୁଯୋଗକୁ ବର୍ମିଂହାମ କମନୱେଲଥ ଗେମ୍ସ ପାଇଁ ମ୍ୟାଚ୍ ପ୍ରାକ୍ଟିସ୍ ଭାବେ ବ୍ୟବହାର କରିବାକୁ ଚାହିଁବ |

ଭାରତ ଜୁନ୍ ୧୧ ଏବଂ ୧୨ରେ ଆଣ୍ଟୱର୍ପରେ ବିଶ୍ୱର ଦୁଇ ନମ୍ବର ଦଳ ବେଲଜିୟମକୁ ଭେଟିବ। ଏବଂ ପରେ ଜୁନ୍ ୧୮ ଏବଂ ୧୯ ରେ ରୋଟେରଡାମରେ ନେଦରଲ୍ୟାଣ୍ଡ ସହ ମୁହାଁମୁହିଁ ହେବା ।

ବ୍ୟସ୍ତବହୁଳ କ୍ୟାଲେଣ୍ଡର ବର୍ଷ ପୂର୍ବରୁ ପ୍ରୋ ଲିଗ୍ ମ୍ୟାଚରେ କୋର୍ ଗ୍ରୁପରୁ ଭିନ୍ନ ଭିନ୍ନ କମ୍ବିନେସନ ନେଇ ଭାରତୀୟ ଦଳ ମ୍ୟାନେଜମେଣ୍ଟ ପରୀକ୍ଷା ନିରୀକ୍ଷା ଜାରି ରଖିଥିବାରୁ ଦଳରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ | ଆସନ୍ତା ବର୍ଷ ବିଶ୍ୱକପ୍ ଖେଳାଯିବାକୁ ଥିବାବେଳେ ଏହି ବର୍ଷ କମନୱେଲଥ୍ ଗେମ୍ସ ହେବ ।

ଟିମ୍ କମ୍ବିନେସନ୍ ବିଷୟରେ ଭାରତୀୟ ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ କହିଛନ୍ତି ଯେ ଏହା ହେଉଛି ଏଫ୍ଆଇଏଚ୍ ହକି ପ୍ରୋ ଲିଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଯେଉଁଠାରେ ସେମାନଙ୍କ ପଡ଼ିଆରେ ବିଶ୍ୱର ଶ୍ରେଷ୍ଠ ଦଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ। ଭାରତରେ ଘରୋଇ ମ୍ୟାଚରେ ଦଳ ଯେଉଁ ଲୟରେ ପ୍ରଦର୍ଶନ କରିଥିଲା ତାହା ଜାରି ରଖିବା ଆମର ଲକ୍ଷ୍ୟ ।

“ଆମେ ୟୁରୋପରେ ନିଜ ପ୍ରଦର୍ଶନକୁ ସୁଧାରିବା ଉପରେ ଧ୍ୟାନ ଦେଉଛୁ ଏବଂ ଲିଗରେ ଆମର ପ୍ରଦର୍ଶନ ଉପରେ ସମୀକ୍ଷା ଜାରି ରଖିବୁ। ଦଳରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ‘ଡବଲ୍ ହେଡର୍’ (୧୦-୨, ୧୦-୨) ରେ ପରାସ୍ତ କରିଥିବାବେଳେ ଫ୍ରାନ୍ସ ବିପକ୍ଷରେ (୫-୦, ୨-୫) ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟର ସମ୍ମୁଖୀନ ହୋଇଥିଲା |

ଘରୋଇ ମାଟିରେ ସ୍ପେନ୍ ବିପକ୍ଷରେ ଭାରତ ଗୋଟିଏ ମ୍ୟାଚ୍ ଜିତିଥିଲା (୫-୪, ୩-୫) ଏବଂ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ହରାଇ ଗୋଟିଏ ମ୍ୟାଚ୍ ୨-୨(୧-୩) ହାରିଥିଲା | ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ ୩-୩ (୩-୨) ଏବଂ ୪-୩ରେ ଉଭୟ ମ୍ୟାଚ୍ ଜିତିଥିଲା |

ଗତ ଦୁଇଟି ମ୍ୟାଚରେ ଭାରତ ଜର୍ମାନୀକୁ ୩-୦ ଏବଂ ୩-୧ରେ ପରାସ୍ତ କରିଥିଲା ।

ଭାରତୀୟ ଦଳ:

ଗୋଲକିପର: ସୁରଜ କରକେରା, ଶ୍ରୀଜେଶ ପାରାଟୁ ରବିନ୍ଦ୍ରନ୍।

ଡିଫେଣ୍ଡର: ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ (ଉପଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (କ୍ୟାପଟେନ), ଯୁଗରାଜ ସିଂ, ଜର୍ମନପ୍ରୀତ ସିଂ ।

ମିଡଫିଲ୍ଡର: ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ଶମସେର ସିଂ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂ, ନୀଳକାନ୍ତ ଶର୍ମା

ଫରଓ୍ବାର୍ଡ: ଗୁର୍ଜନ୍ତ ସିଂ, ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ।