ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ୱିତୀୟ ଦିନ, ବିରୋଧୀଙ୍କ ଅଭିଯୋଗର ଜବାବ ରଖିବେ ଅମିତ ଶାହ | News Room Odisha

ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନାର ଦ୍ୱିତୀୟ ଦିନ, ବିରୋଧୀଙ୍କ ଅଭିଯୋଗର ଜବାବ ରଖିବେ ଅମିତ ଶାହ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ହେଉଛି ଆଲୋଚନାର ଦ୍ୱିତୀୟ ଦିନ | ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାବ ରଖିବେ।

ଲୋକସଭାରେ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଶାସକ ଏବଂ ବିରୋଧୀଙ୍କ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ବିରୋଧୀ ଦଳ ପକ୍ଷରୁ ସୁପ୍ରିୟା ସୁଲେ, ଡିମ୍ପଲ୍ ଯାଦବଙ୍କ ସହ ଅନ୍ୟ ଦଳର ନେତାମାନେ ସରକାରକୁ ମଣିପୁର ସହ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଘେରିଥିଲେ । ଅପରପକ୍ଷରେ ଶାସକ ଦଳ ପକ୍ଷରୁ ନିଶିକାନ୍ତ ଦୁବେ, କିରେନ ରିଜିଜୁ ଏବଂ ଅନ୍ୟ ନେତା ବିରୋଧୀ ଦଳକୁ କାଉଣ୍ଟର କରିଥିଲେ। ବିରୋଧୀଙ୍କ ପକ୍ଷରୁ କଂଗ୍ରେସର ଗୌରବ ଗୋଗୋଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିଲେ । ମୋଦୀଙ୍କ ‘ମୌନ‌ବ୍ରତ’ ଭାଙ୍ଗିବା ପାଇଁ ଆମେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛୁ ବୋଲି ସେ କହିଥିଲେ |

ସଂସଦ ସଦସ୍ୟତା ଫେରିପାଇବା ପରେ ସୋମବାର ଠାରୁ ସଂସଦକୁ ଫେରିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିତର୍କ ବେଳେ କିଛି କହି ନଥିଲେ । କିନ୍ତୁ ଗୁରୁବାର ସେ ଆଲୋଚନାରେ ଭାଗ ନେବା ସମ୍ଭାବନା ରହିଛି। ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା କିରେନ ରିଜିଜୁ କହିଥିଲେ ଯେ ୨୦୧୪ ପୂର୍ବରୁ ଉତ୍ତର-ପୂର୍ବର ଅନେକ ଲୋକ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ଜାତିଗତ ଭେଦଭାବ ତଥା ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ।