କାଲିଠୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ | News Room Odisha

କାଲିଠୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ।

ଶାହ ଶୁକ୍ରବାର ରାତି ୧୦.୪୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ପରଦିନ ସେ ଏକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଏହାଛଡ଼ା ଗୃହମନ୍ତ୍ରୀ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲ୍ୟଇ) ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଯୋଗଦେବା ସମ୍ଭାବନା ରହିଛି।

ତେବେ ଶାହ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସମ୍ଭାବ୍ୟ ଦ୍ୱିପାକ୍ଷିକ ବୈଠକ ନେଇ କୌଣସି ସୂଚନା ମିଳିନାହିଁ ।

ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପୂର୍ବରୁ ଶାହ ବିମାନବନ୍ଦର ‘ଲାଉଞ୍ଜ’ରେ ମଧ୍ୟ ଏକ ବୈଠକରେ ଯୋଗଦେବେ। ଏହି ବୈଠକରେ ଅନ୍ୟ କିଏ ସବୁ ଉପସ୍ଥିତ ରହିବେ ତାହା ସ୍ପଷ୍ଟ ହୋଇନାହିଁ ।

ଶାସକ ବିଜୁ ଜନତା ଦଳ (ବିଜେଡି) ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ସମର୍ଥନ ଘୋଷଣା କରିବା ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା ପରେ ଗୃହମନ୍ତ୍ରୀଙ୍କ ହଠାତ୍ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି।

ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ଜୁନ୍ ୧୭ରେ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଥିଲା ।

ତାଙ୍କ ଗସ୍ତ ସମୟରେ ଶାହା ଶନିବାର ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ।