ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଅମରିନ୍ଦର | News Room Odisha

ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଅମରିନ୍ଦର

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏନ୍‌ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । କ୍ୟାପଟେନଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ବିଜେପିରେ ମିଶ୍ରଣ ହେବା ନେଇ ପ୍ରସ୍ତୁତି ଚାଲିଥିବାବେଳେ ଏହି ଚର୍ଚ୍ଚା ଜୋର୍ ଧରିଛି । ରିପୋର୍ଟ ଅନୁସାରେ, କ୍ୟାପଟେନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସଂପର୍କ ରହିଛି। ଦଳକୁ ବିଜେପିରେ ବିଲୟ କରିବା ପରେ ତାଙ୍କର ପ୍ରାର୍ଥୀତ୍ବ ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି।

ସେପଟେ ବିଜେପି ଅମରିନ୍ଦରଙ୍କୁ ପ୍ରାର୍ଥୀ କରିବା ଆଳରେ ଶିଖ୍ ସମୁଦାୟର ନିକଟତର ହେବାକୁ ଉଦ୍ୟମ କରୁଛି। କୃଷି ସଂସ୍କାର ଆଇନକୁ ବିରୋଧ କରି ହୋଇଥିବା ଚାଷୀ ଆନ୍ଦୋଳନ ଯୋଗୁ ଶିଳ୍ପୀମାନେ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏଭଳିକ୍ଷେତ୍ରରେ ଶିଖଙ୍କ ନିକଟତର ହେବାଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଶିଖ୍ ବ୍ୟକ୍ତିତ୍ବମାନଙ୍କୁ ଭେଟୁଛନ୍ତି। ଲାଲକିଲ୍ଲାରେ ବି ଶ୍ରୀ ଗୁରୁ ତେଗ୍‌ବାହାଦୁରଙ୍କ ପ୍ରକାଶ ଉତ୍ସବ ପାଳନ କରାଯାଇଛି । ସୂଚନାଥାଉକି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ ତାରିଖରେ ଶେଷ ହେବ । ତା’ ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ।