ଶେଷରେ ଧରାପଡ଼ିଲା ଅମୃତପାଲ ସିଂ, ମୋଗାରୁ ଗିରଫ କଲା ପଞ୍ଜାବ ପୋଲିସ | News Room Odisha

ଶେଷରେ ଧରାପଡ଼ିଲା ଅମୃତପାଲ ସିଂ, ମୋଗାରୁ ଗିରଫ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ପ୍ରାୟ ମାସାଧିକ କାଳ ପୋଲିସ ସହ ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଛି ‘ଓ୍ବାରିସ ପଞ୍ଜାବ ଦେ’ ମୁଖ୍ୟ ତଥା ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ । ପଞ୍ଜାବ ପୋଲିସ ରବିବାର ସକାଳେ ମୋଗା ଜିଲ୍ଲାରୁ ଅମୃତପାଲକୁ ଗିରଫ କରିଛି। ଅମୃତପାଲ ଉପରେ ଏନ୍ଏସ୍ଏ ଲାଗୁ କରି ଆସାମର ଦିବ୍ରୁଗଡ ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପଞ୍ଜାବ ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋର ମିଳିତ ଅପରେସନରେ ଅମୃତପାଲକୁ ଗିରଫ କରାଯାଇଛି।

ଅମୃତପାଲ ସିଂର ଗିରଫଦାରୀ ନେଇ ପଞ୍ଜାବ ପୋଲିସ ଟ୍ୱିଟ କରି ସୂଚନା ଦେଇଛି। ଏଥିସହ ପୋଲିସ ନାଗରିକମାନଙ୍କୁ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛି ଏବଂ କୌଣସି ମିଥ୍ୟା ଖବର ସେୟାର ନକରିବାକୁ କହିଛି ।

ଅମୃତପାଲକୁ ଖଲିସ୍ତାନ ଆତଙ୍କବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେର ଗାଁରୁ ଗିରଫ କରାଯାଇଥିବା କୁହାଯାଇଛି।ଉକ୍ତ ଗାଁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅମୃତପାଲକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ୱାରିସ୍ ପଞ୍ଜାବ ଦେର ମୁଖ୍ୟ କରାଯାଇଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅମୃତପାଲଙ୍କୁ ଧରିବା ପାଇଁ କାଉଣ୍ଟର ଇଣ୍ଟେଲିଜେନ୍ସ ଏବଂ ପଞ୍ଜାବ ପୋଲିସର ଟିମ୍ ମିଳିତ ଅପରେସନ୍ ଚଳାଇଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅମୃତପାଲକୁ ପଞ୍ଜାବ ଜେଲରେ ରଖିଲେ ଅମୃତପାଲ ତା’ର ନେଟୱାର୍କ ବୃଦ୍ଧି କରିପାରେ | ତେଣୁ ତାକୁ ଆସାମ ଜେଲକୁ ପଠାଯିବ। ପୂର୍ବରୁ ତାର ୮ ସହଯୋଗୀଙ୍କୁ ମଧ୍ୟ ଆସାମ ଜେଲରେ ରଖାଯାଇଛି ।

ନିକଟରେ ଅମୃତପାଲର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନ ବନ୍ଦରରେ ଅଟକ ରଖିଥିଲା ପୋଲିସ। କିରଣଦୀପ ଲଣ୍ଡନ ଯିବାପାଇଁ ଫ୍ଲାଇଟରେ ଚଢୁଥିବା ବେଳେ ତାଙ୍କୁ ରୋକାଯାଇଥିଲା । ପୋଲିସ ତାଙ୍କୁ କିଛି ଘଣ୍ଟା ଜେରା କରିବା ପରେ ଛାଡିଥିଲା ।

ଏହାଛଡ଼ା ପୋଲିସ ଅମୃତପାଲର ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କୁ ଗିରଫ କରିଥିଲା। ଏପ୍ରିଲ ୧୫ରେ ତା’ର ଆଉ ଜଣେ ପ୍ରମୁଖ ସହଯୋଗୀ ଯୋଗ ସିଂ ଫତେହଗଡ ସାହିବ ଜିଲ୍ଲାରୁ ଧରାପଡିଥିଲେ।

ତାର ଜଣେ ସହଯୋଗୀକୁ ଛାଡ଼ିବାକୁ ଦାବି କରି ହଜାର ହଜାର ସମର୍ଥକଙ୍କ ସହ ଅମୃତପାଲ ଚଳିତ ବର୍ଷ ଫେବୃଆରୀ ୨୩ରେ ଅଜନାଲା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲା । ଏହି ଘଟଣାରେ ୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାପରେ ମାର୍ଚ୍ଚ ୧୮ରେ ପଞ୍ଜାବ ପୋଲିସ ଅମୃତପାଲ ସିଂ ଓ ତାର ସହଯୋଗୀଙ୍କ ବିରୋଧରେ ଅପରେସନ ଆରମ୍ଭ କରିଥିଲା । ସେ ପୋଲିସକୁ ଚକମା ଦେଇ ଖସି ପଳାଇଥିଲା ।