ରୁଷ ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ | News Room Odisha

ରୁଷ ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖାର୍କିଭ ସହରରେ ରୁଷ ସେନାର ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ମୃତ ଛାତ୍ରଙ୍କ ପରିଚୟ ପ୍ରମାଣ ପ୍ରକାଶ କରାଯାଇ ନଥିବା ବେଳେ ତାଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ପ୍ରଥମ ଥର ପାଇଁ ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସମସ୍ତ ଭାରତୀୟଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡିବାକୁ କହିଥିଲେ। ସେବେଠାରୁ ଲାଗୁଥିଲା ଯେ ପରିସ୍ଥିତି ଦ୍ରୁତ ଗତିରେ ଖରାପ ହୋଇପାରେ ଏବଂ ଭୟଙ୍କର ଆକ୍ରମଣ ହୋଇପାରେ | ରୁଷ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାରତୀୟଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ୁଥଲା ବେଳେ ଅପରାହ୍ନରେ ରୁଷର ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଦୁଃଖଦ ଖବର ଆସିଛି।