ଅନନ୍ୟା ପାଣ୍ଡେଙ୍କୁ ଦ୍ବିତୀୟ ଦିନ ପାଇଁ ଏନସିବିର ଜେରା, ଆର୍ୟନଙ୍କ ସହ ହ୍ବାଟସଆପରେ ଗଞ୍ଜେଇ ବିଷୟରେ ହୋଇଥିଲା ଚାଟିଂ | News Room Odisha

ଅନନ୍ୟା ପାଣ୍ଡେଙ୍କୁ ଦ୍ବିତୀୟ ଦିନ ପାଇଁ ଏନସିବିର ଜେରା, ଆର୍ୟନଙ୍କ ସହ ହ୍ବାଟସଆପରେ ଗଞ୍ଜେଇ ବିଷୟରେ ହୋଇଥିଲା ଚାଟିଂ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କ ସହ ହ୍ବାଟସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କ୍ରମାଗତ ଦ୍ୱିତୀୟ ଦିନ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ଜାରି ରଖିଛି। ଅନନ୍ୟାଙ୍କୁ ଆଜି ସକାଳ ୧୧ ଟା ସୁଦ୍ଧା ହାଜର ହେବାକୁ କୁହାଯାଉଥିଲା, କିନ୍ତୁ ସେ ଅପରାହ୍ନ ପ୍ରାୟ ୧:୩୦ ସମୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସୂତ୍ରରୁ ପ୍ରକାଶ ଯେ ଅନନ୍ୟା ଡ୍ରଗ୍ସ ସେବନ ତଥା ଯୋଗାଣରେ ନିଜର ସମ୍ପୃକ୍ତିକୁ ଅସ୍ବୀକାର କରିଛନ୍ତି ।

ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କ ସହ ହ୍ବାଟସଆପ୍ ଚାଟ୍ ଆଧାରରେ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ଡକାଯାଇଛି। ଏନସିବି ସୂତ୍ର ଅନୁଯାୟୀ, ଆର୍ୟନ ଓ ଅନନ୍ୟା ହ୍ବାଟସଆପ୍ ଚାଟ୍ ରେ ଗଞ୍ଜେଇ ସମ୍ପର୍କରେ କଥା ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ଗଞ୍ଜେଇ ବ୍ୟବସ୍ଥା କରିପାରିବ କି ବୋଲି ଅନନ୍ୟାଙ୍କୁ ପଚାରିଥିଲେ ଆର୍ୟନ। ଉତ୍ତରରେ ଅନନ୍ୟା ହଁ ମୁଁ ଦେଖୁଛି ବୋଲି କହିଥିଲେ ।

ଏନସିବି ଅନନ୍ୟା ପାଣ୍ଡେଙ୍କ ଘରେ ଗତକାଲି ଚଢାଉ କରି ତାଙ୍କ ମୋବାଇଲ ଏବଂ ଲାପଟପ୍ ଜବତ କରିଥିଲା। ଏନସିବି ଦୁଇ ଦିନ ମଧ୍ୟରେ ବାନ୍ଦ୍ରା, ସିଏସଟି, ନାଲାସୋପାରା ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା। ଏହାଛଡ଼ା ଏନସିବି ଟିମ୍ ଶାହରୁଖ ଖାନଙ୍କ ବାସଭବନ ‘ମନ୍ନତ’କୁ ଯାଇ ଆର୍ୟନଙ୍କ ଶିକ୍ଷା, ବିଦେଶ ଯାତ୍ରା, ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଦେବାକୁ ନୋଟିସ୍ ଦେଇଥିଲା ।

Ananya pandayaryan drugs case