ବାଙ୍ଗର ଓ ହେସନ୍ ବିଦା, ଆଣ୍ଡି ଫ୍ଲାଓ୍ବାର ହେଲେ ଆରସିବିର ନୂଆ କୋଚ୍ | News Room Odisha

ବାଙ୍ଗର ଓ ହେସନ୍ ବିଦା, ଆଣ୍ଡି ଫ୍ଲାଓ୍ବାର ହେଲେ ଆରସିବିର ନୂଆ କୋଚ୍

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଆଇପିଏଲର ଆଗାମୀ ସିଜିନ ପାଇଁ ଆଣ୍ଡି ଫ୍ଲାଓ୍ବାରଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ଆଇପିଏଲ୍ ୨୦୨୩ରେ ଆରସିବି ଷଷ୍ଠ ସ୍ଥାନରେ ରହିଥିଲା | ଏହି ଫ୍ରାଞ୍ଚାଇଜ୍ କ୍ରିକେଟ୍ ଅପରେସନ୍ସର ଡାଇରେକ୍ଟର ମାଇକ୍ ହେସନ୍ ଏବଂ ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସହ ସମ୍ପର୍କ ଛିନ୍ନ କରିଛି | ଗତ ଦୁଇ ସିଜନ ଧରି ଆଣ୍ଡି ଫ୍ଲାଓ୍ବାର୍ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଦଳର କୋଚ୍ ଥିଲେ | ଏବେ ଲକ୍ଷ୍ନୌ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଓପନର୍ ଜଷ୍ଟିନ ଲେଙ୍ଗରଙ୍କୁ ନିଜ କୋଚ୍ ଭାବେ ନିଯୁକ୍ତ କରିଛି।

ମାଇକ୍ ହେସନ୍ ଏବଂ ମୁଖ୍ୟ କୋଚ୍ ସଞ୍ଜୟ ବଙ୍ଗରଙ୍କ ଚୁକ୍ତି ନବୀକରଣ ହେବ ନାହିଁ ବୋଲି ମଧ୍ୟ ଆରସିବି ଫ୍ରାଞ୍ଚାଇଜ୍ ସ୍ପଷ୍ଟ କରିଛି । ଉଭୟ ଗତ ୪ ବର୍ଷ ଧରି ଆରସିବି ସହିତ ଜଡ଼ିତ ଥିଲେ। ବିରାଟ କୋହଲି ପ୍ରାୟ ୧୧ ବର୍ଷ ଆରସିବିର ନେତୃତ୍ବ ନେଇଥିଲେ | ବର୍ତ୍ତମାନ ଗତ ଦୁଇ ସିଜନ ଧରି ଫାଫ୍ ଡୁପ୍ଲେସି ଆରସିବିର ଅଧିନାୟକ ଅଛନ୍ତି। ତେବେ ଦଳ ଏଯାବତ୍ ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ ।

କୋଚ୍ ଭାବେ ଆଣ୍ଡି ଫ୍ଲାଓ୍ବାରଙ୍କ ଭଲ ଟ୍ରାକ୍ ରେକର୍ଡ ଅଛି |
ଜିମ୍ବାୱେର ଏହି ପୂର୍ବତନ ତାଙ୍କ କୋଚିଂ କାର୍ଯ୍ୟକାଳ ମଧ୍ୟରେ ପିଏସ୍ଏଲ୍, ଦି ହଣ୍ଡ୍ରେଡ୍, ଆଇଏଲଟି୨୦ ଏବଂ ଟି୨୦ ଟାଇଟଲ୍ ଜିତିଛନ୍ତି | ସେ ଇଂଲଣ୍ଡର ଅନ୍ୟତମ ସଫଳ କୋଚ୍ । ତାଙ୍କ କୋଚିଂ ସମୟରେ ଇଂଲଣ୍ଡ ଘରେ ଏବଂ ବାହାରେ ଆସେସ୍ ଜିତିଥିବାବେଳେ ୨୦୧୦ରେ ଟି-୨୦ ବିଶ୍ୱକପ ଚାମ୍ପିୟନ୍ ହୋଇଥିଲା। ଏହାଛଡ଼ା ଫ୍ଲାଓ୍ବାରଙ୍କ ତତ୍ତ୍ବାବଧାନରେ ଇଂଲଣ୍ଡ ଦଳ ମଧ୍ୟ ଟେଷ୍ଟରେ ଏକ ନମ୍ବର ମାନ୍ୟତା ହାସଲ କରିଥିଲା । ସେ ହେଉଛନ୍ତି ଜିମ୍ବାୱେର ପ୍ରଥମ ଖେଳାଳି ଯିଏକି ଆଇସିସି ହଲ୍ ଅଫ୍ ଫେମ୍ ସମ୍ମାନ ପାଇଥିଲେ ।