ମନି ଲଣ୍ଡ୍ରିଂ ମାମଲା: ଜେଲ୍ ଗଲେ ଅନିଲ ଦେଶମୁଖ | News Room Odisha

ମନି ଲଣ୍ଡ୍ରିଂ ମାମଲା: ଜେଲ୍ ଗଲେ ଅନିଲ ଦେଶମୁଖ

ମୁମ୍ବାଇ: ବହୁ କୋଟି ଟଙ୍କା ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମୁମ୍ବାଇର ଏକ ଅବକାଶ କାଳୀନ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୀଲ ଦେଶମୁଖଙ୍କ ନଅ ଦିନ ପାଇଁ ରିମାଣ୍ଡ ମାଗିଥିଲେ। ତେବେ କୋର୍ଟ ଇଡିର ଆବେଦନ ଅଗ୍ରାହ୍ୟ କରିଥିଲେ।

ମନି ଲଣ୍ଡ୍ରିଂ ମାମଲାରେ ୧୨ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ଇଡି ନଭେମ୍ବର ୧ ବିଳମ୍ବିତ ରାତିରେ ଦେଶମୁଖଙ୍କୁ ଗିରଫ କରିଥିଲା। ପରଦିନ କୋର୍ଟ ତାଙ୍କୁ ପାଞ୍ଚ ଦିନ ପାଇଁ ପୋଲିସ ହାଜତକୁ ପଠାଇଥିଲେ। ଆଜି ତାଙ୍କ ପୋଲିସ ରିମାଣ୍ଡ ଅବଧି ଶେଷ ହୋଇଥିଲା ।

ମନି ଲଣ୍ଡ୍ରିଂର ଏହି ମାମଲା ମହାରାଷ୍ଟ୍ର ପୋଲିସ ପ୍ରତିଷ୍ଠାନରେ ହୋଇଥିବା ବଟି ଆଦାୟ ସହ ଜଡିତ। ଏପ୍ରିଲ ୨୧ରେ ସିବିଆଇ ଅନିଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ଏନସିପିର ଏହି ୭୧ ବର୍ଷୀୟ ନେତା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିଲା। ଦୁର୍ନୀତି ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗରେ ସିବିଆଇ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଇଡି ଅଭିଯୋଗ କରିଥିଲା ଯେ ରାଜ୍ୟ ଗୃହମନ୍ତ୍ରୀ ଥିବାବେଳେ ଦେଶମୁଖ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଏବଂ ନିଲମ୍ବିତ ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ମାଧ୍ୟମରେ ମୁମ୍ବାଇର ବିଭିନ୍ନ ବାର୍ ଏବଂ ରେଷ୍ଟୁରାଣ୍ଟରୁ ୪.୭୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସଂଗ୍ରହ କରିଥିଲେ। ଦେଶମୁଖ ଏହା ପୂର୍ବରୁ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଦାଗୀ ପୋଲିସ ଅଧିକାରୀ (ୱାଜେ)ଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ଆଧାରରେ ଇଡି ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି ।