କୁନୋରେ ପୁଣି ଏକ ଚିତାର ମୃତ୍ୟୁ | News Room Odisha

କୁନୋରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି। ନାମିବ୍ୟାରୁ ଅଣାଯାଇଥିବା ମାଈ ଚିତା ‘ତବ୍ଲିସି’ର ମୃତ୍ୟୁ ହୋଇଯାଇଛି। ଏହାକୁ ମିଶାଇ ଗତ ୧୧ ମାସରେ ଏଠାରେ ୯ ଚିତାଙ୍କ ମୃତ୍ୟୁ ହେଲାଣି । ଏଥିମଧ୍ୟରେ ୩ଟି ଛୁଆ ଅଛନ୍ତି | ଦୁଇ ଦିନ ଧରି ‘ତବ୍ଲିସି’ର ପତ୍ତା ମିଳୁନଥିଲା । ଚିତାର ମୃତଦେହ କୁନୋ ଉଦ୍ୟାନ ବାହାରେ ମିଳିଥିଲା । ‘ତବ୍ଲିସି’ର ମୃତ୍ୟୁର କାରଣ ଜଣାପଡି ନାହିଁ ।

ଚିତାର ବେକରେ ଲଗାଯାଇଥିବା ରେଡିଓ କଲର୍ ଆଇଡି ଖରାପ ହୋଇଯାଇଥିଲା। ଏହି କାରଣରୁ ତାର ଲୋକେସନ ଜଣାପଡ଼ୁନଥିଲା । ବନ ବିଭାଗର କର୍ମଚାରୀମାନେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ନିଖୋଜ ଚିତାବାଘକୁ ଖୋଜା ଅଭିଯାନର ଜାରି ରଖିଥିଲେ ।

କୁନୋ ପାଲପୁର ଅଭୟାରଣ୍ୟ ଗତ କିଛି ସମୟ ଧରି ଚର୍ଚ୍ଚାରେ ରହିଛି | ଗତବର୍ଷ ସେପ୍ଟେମ୍ବରରୁ ଚିତା ପ୍ରୋଜେକ୍ଟ ଅନ୍ନାତର୍ଗତ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତା ଅଣାଯାଇ ଏଠାରେ ଛଡ଼ା ଯାଇଥିଲା | ଏହା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ବାକାଂକ୍ଷୀ ପ୍ରୋଜେକ୍ଟ ଥିଲା। କିନ୍ତୁ ଗତ ୧୧ ମାସ ମଧ୍ୟରେ କୁନୋରେ ୯ଟି ଚିତାଙ୍କର ମୃତ୍ୟୁ ସରକାରଙ୍କ ‘ପ୍ରୋଜେକ୍ଟ ଚିତା’ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି ।