ଏୟାର ଇଣ୍ଡିଆ ଫ୍ଲାଇଟରେ ପୁଣି ଲଜ୍ଜା, ମହିଳାଙ୍କ କମ୍ବଳରେ ପରିସ୍ରା କଲେ ଯାତ୍ରୀ | News Room Odisha

ଏୟାର ଇଣ୍ଡିଆ ଫ୍ଲାଇଟରେ ପୁଣି ଲଜ୍ଜା, ମହିଳାଙ୍କ କମ୍ବଳରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ଫ୍ଲାଇଟରେ ଜଣେ ବୟସ୍କା ମହିଳାଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏକ ଅନ୍ତର୍ଜାତୀୟ ଫ୍ଲାଇଟରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି। ଅଧିକାରୀଙ୍କ ସୂଚନା ମୁତାବକ ଏୟାର ଇଣ୍ଡିଆର ପ୍ୟାରିସ-ଦିଲ୍ଲୀ ବିମାନରେ ଜଣେ ପୁରୁଷ ଯାତ୍ରୀ ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିଥିଲେ। ତେବେ ପୁରୁଷ ଯାତ୍ରୀଙ୍କ ଲିଖିତ କ୍ଷମା ପ୍ରାର୍ଥନା ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।

ଡିସେମ୍ବର ୬ରେ ଏୟାର ଇଣ୍ଡିଆ ବିମାନ ନମ୍ବର ୧୪୨ରେ ଏହି ଘଟଣା ଘଟିଥିଲା। ପାଇଲଟ୍ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) କୁ ଏନେଇ ଜଣାଇବା ପରେ ପୁରୁଷ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା। ଯାତ୍ରୀ କେଉଁ ଶ୍ରେଣୀରେ ଯାତ୍ରା କରୁଥିଲେ ତାହା ଜଣାପଡିନାହିଁ।

ଉକ୍ତ ବିମାନ ସକାଳ ୯.୪୦ରେ ଦିଲ୍ଲୀରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀଙ୍କ କହିବା ଅନୁଯାୟୀ ଜଣେ ମାତାଲ ପୁରୁଷ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରୁନାହାଁନ୍ତି ବୋଲି ସିକ୍ୟୁରିଟିକୁ ସୂଚନା ମିଳିଥିଲା । ପରେ ସେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିଥିଲେ।

ପୁରୁଷ ଯାତ୍ରୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡ୍ କରିବା କ୍ଷଣି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) ତାଙ୍କୁ କାବୁ କରିଥିଲେ। ପରେ ମହିଳା ଯାତ୍ରୀ ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋସ ବୁଝାମଣା ଏବଂ ତାଙ୍କୁ ‘ଲିଖିତ କ୍ଷମା ପ୍ରାର୍ଥନା’ କରିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।
ମହିଳା ଯାତ୍ରୀ ପ୍ରଥମେ ଏକ ଲିଖିତ ଅଭିଯୋଗ ଦେଇଥିଲେ କିନ୍ତୁ ପୋଲିସ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ଏହା ପରେ ବିମାନବନ୍ଦର ସିକ୍ୟୁରିଟି ଅଭିଯୁକ୍ତ ଯାତ୍ରୀଙ୍କୁ ଇମିଗ୍ରେସନ ଏବଂ କଷ୍ଟମ୍ସ ସମ୍ବନ୍ଧୀୟ ଔପଚାରିକତା ପରେ ଯିବାକୁ ଦେଇଥିଲା ।

ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଲଜ୍ଜାଜନକ ଘଟଣାର ଠିକ ୧୦ ଦିନ ପରେ ଏହି ଘଟଣା ଘଟିଥିଲା ​​| ବିଜିନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମୁମ୍ବାଇ ବ୍ୟବସାୟୀ ନିଶାସକ୍ତ ଅବସ୍ଥାରେ ଜଣେ ୭୦ ବର୍ଷୀୟା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଲେ। ଏୟାର ଇଣ୍ଡିଆର ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।