ବିଜେପି ନେତାଙ୍କ ପ୍ରଫେଟ୍‌ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା, ଭାରତ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କଲେ | News Room Odisha

ବିଜେପି ନେତାଙ୍କ ପ୍ରଫେଟ୍‌ ମହମ୍ମଦ ବିରୋଧୀ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା, ଭାରତ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କଲେ

ନୂଆଦିଲ୍ଲୀ :ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ କେବଳ ଭାରତରେ ନୁହେଁ ପଶ୍ଚିମ ଏସିଆରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ଆରବ ରାଷ୍ଟ୍ରଗଣ ଏନେଇ ଭାରତର ବିଜେପି ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆରବ ରାଷ୍ଟ୍ର ଗୁଡ଼ିକରେ ଏଭଳି ପ୍ରତିକ୍ରିୟା ଦେଖିବା ପରେ ହିଁ ବିଜେପି ଏହାର ମୁଖପାତ୍ର ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଥିଲା ଏବଂ ଦଳର ଦିଲ୍ଲୀ ମିଡ଼ଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବିଦା କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିଜେପି ମୁଖପାତ୍ର ଟିପ୍ପଣୀକୁ ବିରୋଧ କରି କାତାର, କୁଏତ ଓ ଇରାନ ସେମାନଙ୍କ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କତାରରେ ଅବସ୍ଥାପିତ ଭ‌ାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ସହିତ ଏକ ବୈଠକ ହୋଇଛି। ବୈଠକରେ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ସରକାର ସବୁ ଧର୍ମକୁ ସମ୍ମାନ ଦିଅନ୍ତି। ଯେଉଁମାନେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସେମାନେ ସ୍ବାର୍ଥବାଦୀ ତତ୍ତ୍ବ ବା ଫ୍ରିଞ୍ଜ ଏଲିମେଣ୍ଟ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ‌ହୋଇ ସାରିଛି। ବିବାଦୀୟ ଟିପ୍ପଣୀ ଦେଇଥିବା ନେତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ କତାର ସ୍ବାଗତ କରିଛି। ତେବେ ମହମ୍ମଦଙ୍କ ବିରୋଧରେ ନିଜ ଦଳର ନେତାଙ୍କ ମନ୍ତବ୍ୟ ପାଇଁ ମୋଦି ସରକାର ସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କାତାର ଓ କୁଏତ ଦାବି କରିଛନ୍ତି । ଓମାନ ମୁଫତି ବିଜେପି ପ୍ରବକ୍ତାଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଭାରତୀୟ ସାମଗ୍ରୀର ବର୍ଜନ ଆରବ ଦେଶଗୁଡ଼ିକରେ ଟ୍ବିଟରରେ ଟ୍ରେଣ୍ଡ୍ ହୋଇଛି। ସାଉଦି ଆରବ, କୁଏତ ଏବଂ ବାହାରିନ ଭଳି ଗଲ୍ଫ ଦେଶରେ ସୁପରଷ୍ଟୋର ଗୁଡ଼ିକର ‌ଥାକରୁ ଭାରତୀୟ ସାମଗ୍ରୀକୁ କାଢ଼ି ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହିତ ୪ ଦିନିଆ କତାର ଗସ୍ତରେ ଯାଇଛନ୍ତି। ନାଇଡୁ କତାରର ପ୍ରଧାନମନ୍ତ୍ରୀ ଶେଖ ଖଲିଦ ବିନ୍ ଖଲିଫା ବିନ୍ ଅବଦୁଲାଜିଜ୍ ଅଲ୍ ଥାନିଙ୍କୁ ‌ରବିବାର ଭେଟିଛନ୍ତି। ଉପରାଷ୍ଟ୍ରପତି କତାର ସହିତ ସେନେଗାଲ ଏବଂ ଗାବନ ଗସ୍ତ କରିବେ।