ପିଫା ବିଶ୍ଵକପ: ସେମିଫାଇନାଲରେ ଆର୍ଜେଣ୍ଟିନା-କ୍ରୋଏସିଆ | News Room Odisha

ପିଫା ବିଶ୍ଵକପ: ସେମିଫାଇନାଲରେ ଆର୍ଜେଣ୍ଟିନା-କ୍ରୋଏସିଆ

ଦୋହା: ଚଳିତ ପିଫା ବିଶ୍ଵକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ୨ଟି ଯାକ କ୍ୱାର୍ଟର ଫାଇନାଲର ଫଳାଫଳ ପେନାଲ୍ଟି ସୁଟ୍ ଆଉଟରେ ନିର୍ଣ୍ଣୟ ହୋଇଥିଲା। ପାଞ୍ଚ ଥରର ଚାମ୍ପିୟନ ବ୍ରାଜିଲକୁ କ୍ରୋଏସିଆ ୪-୨ ଗୋଲରେ ହରାଇଥିବାବେଳେ ଆର୍ଜେଣ୍ଟିନା ମଧ୍ୟ ପେନାଲ୍ଟିରେ ୪–୩ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ସେମିକୁ ଉନ୍ନୀତ ହୋଇଛି ।

ଆସନ୍ତା ୧୪ ତାରିଖରେ ଆର୍ଜେଣ୍ଟିନା ସେମିରେ
କ୍ରୋଏସିଆକୁ ଭେଟିବ । ଆର୍ଜେଣ୍ଟିନା-ନେଦରଲାଣ୍ଡ୍ସ ଦ୍ଵିତୀୟ କ୍ବାର୍ଟର ଫାଇନାଲର ୩୫ତମ ମିନିଟରେ ନେହୁଲ ମୋଲିନା ଏବଂ ୭୩ତମ ମିନିଟରେ ଲିଓନେଲ ମେସି ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ । ମେସିଙ୍କ ଏହା ଦଶମ ବିଶ୍ବକପ୍ ଗୋଲ୍ ଥିଲା । ନେଦରଲାଣ୍ଡର ଓଟ୍ ଓ୍ବେଗହର୍ଷ୍ଟ ୮୩ ଓ ୯୦+୧ତମ ମିନିଟରେ ଡବଲ ଗୋଲ ସ୍କୋର କରି ମ୍ୟାଚକୁ ୨-୨ରେ ବରାବର କରିଥିଲେ। ମ୍ୟାଚ୍ ଏକ୍ସଟ୍ରା ଟାଇମକୁ ଯାଇଥିଲା । ଏକ୍ସଟ୍ରା ଟାଇମରେ ସ୍କୋର ବରାବର ରହିବା ପରେ ପେନାଲ୍ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ଏଥିରେ ଆର୍ଜେଣ୍ଟିନା ବାଜି ମାରି ନେଇଥିଲା ।

ବ୍ରାଜିଲ-କ୍ରୋଏସିଆ ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ ମଧ୍ୟ ପେନାଲ୍ଟି ସୁଟ୍ ଆଉଟରେ ନିର୍ଣ୍ଣୟ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ କୌଣସି ଗୋଲ୍ କରିପାରିନଥିଲେ । ତେବେ ଏକ୍ସଟ୍ରା ଟାଇମରେ ନେମାର ବ୍ରାଜିଲକୁ ଅଗ୍ରଣୀ କରାଇଥିଲେ । ଏକ୍ସଟ୍ରା ଟାଇମର ଶେଷ ଆଡକୁ ବ୍ରୁନୋ ପେଟକୋଭିଚଙ୍କ ଗୋଲ୍ ବଳରେ କ୍ରୋଏସିଆ ସ୍କୋରକୁ ୧-୧ କରି ମ୍ୟାଚକୁ ପେନାଲ୍ଟି ସୁଟ୍ ଆଉଟକୁ ନେଇଥିଲା । ପେନାଲ୍ଟିରେ କ୍ରୋଏସିଆ ୪-୨ରେ ବିଜୟ ସହ କ୍ରମାଗତ ଦ୍ବିତୀୟ ଥର ସେମିଫାଇନାଲରେ ପ୍ରବେଶ କରିଛି ।