ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ଝୁମାଇବେ ଅରିଜିତ୍, ଶଙ୍କର ମହାଦେବନ୍ | News Room Odisha

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ଝୁମାଇବେ ଅରିଜିତ୍, ଶଙ୍କର ମହାଦେବନ୍

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିସିସିଆଇ ସ୍ବତନ୍ତ୍ର ପ୍ରସ୍ତୁତି କରିଛି । ବିଶ୍ୱକପ୍ ୨୦୨୩ ପୂର୍ବରୁ କୌଣସି ଉଦଘାଟନୀ ଉତ୍ସବ ହୋଇନଥିଲା । ଏଥିପାଇଁ ବିସିସିଆଇ ସମାଲୋଚିତ ହୋଇଥିଲା । ତେବେ ଭାରତ-ପାକିସ୍ତାନ ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଦେଶର ତିନି ବଡ଼ ମ୍ୟୁଜିକାଲ ସୁପରଷ୍ଟାର ଅରିଜିତ ସିଂ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂ ନିଜ ସଂଗୀତର ଯାଦୁରେ ଦର୍ଶକଙ୍କୁ ଆମୋଦିତ କରିବେ । ଏନେଇ ବିସିସିଆଇ ମଧ୍ୟ ସୋସିଆଲ ମିଡ଼ିଆରେ ନିଶ୍ଚିତ କରିଛି। ଅରିଜିତ ସିଂ ଆଇପିଏଲ୍ ୨୦୨୩ର ଉଦଘାଟନୀ ସମାରୋହରେ ବି ପରଫର୍ମ କରିଥିଲେ ।

ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏଥିପାଇଁ ଟସ୍ ୧.୩୦ରେ ପଡ଼ିବ | ଟସ୍‌ର ଏକ ଘଣ୍ଟା ପୂର୍ବରୁ ଏହି ମ୍ୟୁଜିକାଲ ଇଭେଣ୍ଟ ୧୨.୩୦ରୁ ଆରମ୍ଭ ହେବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନେହା କକ୍କର ଏବଂ ସୁନୀଧି ଚୌହାନ ମଧ୍ୟ ସଂଗୀତ ପରିବେଷଣ କରିବେ ବୋଲି କିଛି ମିଡ଼ିଆ ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ଇନିଂସ ବିରତି ସମୟରେ ମଧ୍ୟ ୧୦ ମିନିଟର ଏକ ସଂଗୀତ ଶୋ’ ହେବ |

ପ୍ରାୟ ୭ ବର୍ଷ ପରେ ଭାରତୀୟ ମାଟିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି | ଏହା ପୂର୍ବରୁ ଶେଷ ଥର ଉଭୟ ଦଳ ୨୦୧୬ ଟି-୨୦ ବିଶ୍ୱକପରେ କୋଲକାତାରେ ମୁହାଁମୁହିଁ ହୋଇଥିଲେ । ଚଳିତ ଦିନିକିଆ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ପାକ୍ ଦଳର କୌଣସି ଖେଳାଳି ସେହି ମ୍ୟାଚର ଅଂଶବିଶେଷ ନଥିଲେ ।