ଆତଙ୍କବାଦୀ ଆକ୍ରମଣ ପରେ ରାଜୌରୀ-ପୁଞ୍ଛ ସେକ୍ଟରରେ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ସେନା ମୁଖ୍ୟ | News Room Odisha

ଆତଙ୍କବାଦୀ ଆକ୍ରମଣ ପରେ ରାଜୌରୀ-ପୁଞ୍ଛ ସେକ୍ଟରରେ ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ସେନା ମୁଖ୍ୟ

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ଚାରି ଯବାନ ସହିଦ୍ ହେବା ପରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସୋମବାର ରାଜୌରୀ-ପୁଞ୍ଛ ସେକ୍ଟରରେ ପହଞ୍ଚି ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ରାଜୌରୀ ଏବଂ ପୁଞ୍ଛ ଜିଲ୍ଲାରେ ଉତ୍ତର କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ଜାମ୍ମୁ ସ୍ଥିତ ହ୍ବାଇଟ ନାଇଟ୍ କର୍ପସର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍ଟନାଣ୍ଟ ଜେନେରାଲ ସନ୍ଦୀପ ଜୈନ, ବରିଷ୍ଠ ନାଗରିକ ପ୍ରଶାସନ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳ ନିକଟରେ ରାଜୌରୀ ଜିଲ୍ଲାର ସୁରନକୋଟ ଓ ଥାନାମଣ୍ଡି ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ, ଗୁରୁବାର ପୁଞ୍ଛର ସୁରନକୋଟ ଅଞ୍ଚଳର ଢେରା କି ଗଲି ଓ ବଫଲିଆଜ୍ ମଧ୍ୟରେ ଧତ୍ୟାର୍ ବୁଲାଣିରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେନାର ପାଞ୍ଚ ଜଣ ଯବାନ ସହିଦ୍ ହୋଇଥିଲେ।

ଏହି ଘଟଣା ପଛରେ ଥିବା ଆତଙ୍କବାଦୀଙ୍କୁ ଚିହ୍ନଟ ପାଇଁ ଉକ୍ତ ଅଞ୍ଚଳରେ ସେନା ତରଫରୁ ଏକ ବଡ଼ ଧରଣର ଅପରେସନ ଚାଲିଛି। ଆତଙ୍କବାଦୀ ଆକ୍ରମଣ ପରେ ସେନା ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସେମାନଙ୍କ ମଧ୍ୟରୁ ୨୭ ରୁ ୪୨ ବର୍ଷ ବୟସର ତିନିଜଣ ସାଧାରଣ ନାଗରିକଙ୍କ ଡିସେମ୍ବର ୨୨ରେ ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଶନିବାର ସକାଳୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।

ଜମ୍ମୁ-କାଶ୍ମୀର ପ୍ରଶାସନ ଶନିବାର ମୃତ ତିନି ସାଧାରଣ ନାଗରିକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଚାକିରି ଘୋଷଣା କରିଥିଲା। ଏହି ତିନି ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ଆଭ୍ୟନ୍ତରୀଣ ତଦନ୍ତ କରିବାକୁ ସେନା ନିର୍ଦ୍ଦେଶ ଦେଇଛି । ତଦନ୍ତକୁ ସମ୍ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ଦିଆଯିବ ବୋଲି କହିଛି ସେନା ।