ଚୀନ୍ ସହ ବିବାଦ ନେଇ ସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ ଉଭୟ ଆଲୋଚନା ଓ ଯୁଦ୍ଧ ପାଇଁ ପ୍ରସ୍ତୁତ | News Room Odisha

ଚୀନ୍ ସହ ବିବାଦ ନେଇ ସେନା ମୁଖ୍ୟଙ୍କ ବଡ଼ ବୟାନ, କହିଲେ ଉଭୟ ଆଲୋଚନା ଓ ଯୁଦ୍ଧ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍‌ର କୌଶଳ ସମ୍ପର୍କରେ ବୁଧବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମଏମ ନରାବଣେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ସେନା ସହିତ ଭାରତୀୟ ସେନାର ଆଲୋଚନା ଚାଲିଛି, ଏଣେ ଯୁଦ୍ଧ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ପୂର୍ବ ଲଦାଖରେ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଚୀନର ଏକତରଫା ଉଦ୍ୟମକୁ ସେନା ଦୃଢ ଜବାବ ଦେଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ସହିତ ଆଲୋଚନା ଜାରି ରହିଥିଲେ ମଧ୍ୟ ସମ୍ଭାବ୍ୟ ଯୁଦ୍ଧ ନେଇ ସେନା ଏହାର ପ୍ରସ୍ତୁତିର ସର୍ବୋଚ୍ଚ ସ୍ତର ବଜାୟ ରଖିଛି।

ପୂର୍ବ ଲଦାଖରେ ଚୀନ୍ ସହିତ ସୀମା ବିବାଦ ଉପରେ ସେ କହିଛନ୍ତି ଯେ ଯଦିଓ ସୈନ୍ୟମାନେ ଆଂଶିକ ପଛକୁ ଫେରିଛନ୍ତି, ତଥାପି ବିପଦ କୌଣସି ପ୍ରକାରେ ଟଳିନାହିଁ। ଏଥି ସହିତ ଭାରତର ଉତ୍ତର ସୀମାରେ ପରିସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଦୃଢ଼ ମୁକାବିଲା କରିବା ଜାରି ରଖିବୁ। ଯେକୌଣସି ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସୁରକ୍ଷା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |

ସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ସୀମାରେ ଭିତ୍ତିଭୂମି ମଜବୁତ କରିବା କାର୍ଯ୍ୟ ଏକ ସାମଗ୍ରିକ ଏବଂ ବ୍ୟାପକ ଢଙ୍ଗରେ କରାଯାଉଛି। ଡିସେମ୍ବର ୪ରେ ନାଗାଲାଣ୍ଡରେ ଘଟିଥିବା ଗୁଳି ବିନିମୟ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।