ବଠିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଅଘଟଣ, ଅସାବଧାନତା ବଶତଃ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ | News Room Odisha

ବଠିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଅଘଟଣ, ଅସାବଧାନତା ବଶତଃ ଗୁଳି ଫୁଟି ଜଣେ ଯବାନଙ୍କ ମୃତ୍ୟୁ

ଚଣ୍ଡିଗଡ଼: ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡରେ ୪ ଜଣ ସେନା ଯବାନଙ୍କ ମୃତ୍ୟୁ ପରେ ଗତକାଲି ରାତିରେ ଆଉ ଜଣେ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେବେ ଏହାର ଗୁଳିକାଣ୍ଡ ଘଟଣା ସହ କୌଣସି ସମ୍ପର୍କ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ଜଣେ ସାଥୀ ଯବାନଙ୍କ ରାଇଫଲରୁ ଅସାବଧାନତା ବଶତଃ ଗୁଳି ଫୁଟି ପାଖରେ ଥିବା ଯବାନଙ୍କର ମୃତ୍ୟୁ ହୋଇଛି ।

ବଠିଣ୍ଡା ମିଲିଟାରୀ ଷ୍ଟେସନରେ ବୁଧବାର ଭୋର୍ ପ୍ରାୟ ୪:୩୦ରେ ଅଚାନକ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୪ ଜଣ ସେନା ଯବାନଙ୍କ ମୃତ୍ୟୁ ହୋଇଥିଲା । ଘଟଣା ବେଳେ ଯବାନମାନେ ବ୍ୟାଟରେ ଶୋଇଥିଲେ । ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହତ୍ୟା ସ୍ଥାନରୁ ଉଦ୍ଧାର ଇନସାସ୍ ରାଇଫଲର ୧୯ଟି ଖୋକା ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ସେନା ଦୁଇ ମୁଖାପିନ୍ଧା ସନ୍ଦିଗ୍ଧଙ୍କୁ ଖୋଜୁଛି। ସମଗ୍ର ଅଞ୍ଚଳ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏପ୍ରିଲ ୯ରେ ବଠିଣ୍ଡା ସେନା ଷ୍ଟେସନ୍ ଶସ୍ତ୍ରାଗାରରୁ ୨୮ ରାଉଣ୍ଡ ମାଗାଜିନ୍ ଥିବା ଏକ ରାଇଫଲ ଚୋରି ହୋଇଯାଇଥିଲା | ଗତକାଲିର ଗୁଳିକାଣ୍ଡ ଘଟଣା ନେଇ ସେନା ବଠିଣ୍ଡା ପୋଲିସ ଥାନାରେ ଆଇପିସିର ଦଫା ୩୦୨ ଏବଂ ଆର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ଏକ ଏତଲା ଦେଇଛି ।